ଖବର କାଗଜରେ ସୁନ୍ଦର କଳାକୃତି…ମନ ଜିଣୁଛି ସୁଶ୍ରୀଙ୍କ କାଗଜ କାନଫୁଲ…ଇଂଟରନେଟକୁ ଗୁରୁ କରି ଅଦରକାରୀ ପେପରକୁ ବି କରିଦେଉଛନ୍ତି ଆକର୍ଷଣୀୟ

437

କନକ ବ୍ୟୁରୋ: ପଢି ସାରିବା ପରେ ଖବର କାଗଜର ମୂଲ୍ୟ ହିନ ହୋଇ କେତେବେଳେ କବାଡ଼ି ଖାନାକୁ ଯାଏ ତ କେତେବେଳେ ଅଳିଆ ଗଦା କୁ। କିନ୍ତୁ ଏହି ଅଦରକାରୀ ଖବର କାଗଜ ଯେତେବେଳେ ସୁଶ୍ରୀ ତନ୍ମୟୀଙ୍କ ହାତକୁ ଆସେ ତାହା ରୂପ ନିଏ ଏକ ସୁନ୍ଦର ସାମଗ୍ରୀର । ବିନା ତାଲିମରେ ସୁଶ୍ରୀ ବନେଇ ପାରନ୍ତି ସୁନ୍ଦର ଘର ସଜ୍ଜା ସାମଗ୍ରୀ ଏପରିକି ଅଳଙ୍କାର ମଧ୍ୟ।

ଶିଳ୍ପୀର ନଜରରେ ସବୁକିଛି ବ୍ୟବହାର ଉପଯୋଗୀ । ଯେ କୌଣସି ଜିନିଷରେ ବି ପ୍ରତିଭା ପ୍ରଦର୍ଶନ କରିହୁଏ । ସେମିତି ଜଣେ ଶିଳ୍ପୀ ହେଉଛନ୍ତି ବାଲେଶ୍ୱରର ସୁଶ୍ରୀ ତନ୍ମୟୀ ପାଢୀ । ଖବର କାଗଜରେ ସୁନ୍ଦର ସୁନ୍ଦର ବ୍ୟବହାର ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି ସୁଶ୍ରୀ । ଫଟୋ ଫ୍ରେମ, ଫୁଲଦାନୀ, କାନ ଫୁଲ ଭଳି ଅନେକ ସୈାଖିନୀ ସାମଗ୍ରୀ । ସବୁଠାରୁ ବଡ କଥା ହେଉଛି ଏଥିପାଇଁ ସେ କୌଣସି ତାଲିମ ନେଇ ନାହାନ୍ତି । ମୋବାଇଲ ଇଂଟରନେଟକୁ ଗୁରୁ କରି, ୟୁ-ଟ୍ୟୁବରୁ କୌଶଳ ଶିଖୁଛନ୍ତି ସୁଶ୍ରୀ ।

ଯୁକ୍ତ ୨ ପାଠ ପଢିବା ପରେ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ଭିଜୁଆଲ ଆର୍ଟସରେ ଗ୍ରାଜୁଏସନ ପଢୁଛନ୍ତି । ଘରେ ଟିକିଏ ଫୁରୁସତ୍ ସମୟ ପାଇଲେ ଖବର କାଗଜ, ଉଠା ଓ ରଙ୍ଗତୁଳି ଧରି ବସି ଯାଆନ୍ତି ସୁଶ୍ରୀ । ଆଉ ଆରମ୍ଭ କରିଦିଅନ୍ତି ତାଙ୍କ କାରୁକାର୍ଯ୍ୟ । ଝିଅକୁ ଉତ୍ସାହିତ କରିବା ପାଇଁ ତନ୍ମୟୀଙ୍କୁ ଏହି କାମରେ ସହଯୋଗ କରିଥାନ୍ତି ମାଆ ସବିତା ପାଢୀ । ବାସ୍ତବରେ ଆଜିର ଏହି ଇଂଟରନେଟ ଯୁଗରେ ଅନେକ ଯୁବକ- ଯୁବତୀମାନେ ଅଧଗତିକୁ ଯାଉଥିବା ବେଳେ ଏହି ଇଂଟରନେଟକୁ ମାଧ୍ୟମ କରି ବିଭିନ୍ନ କଳାକୃତିକୁ ରୂପ ଦେଉଛନ୍ତି ସୁଶ୍ରୀ । ପାଠପଢା ସାଙ୍ଗକୁ ଏହି କଳା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଆଉ ଆଜିର ଯୁବପୀଢୀଙ୍କ ପାଇଁ ସୁଶ୍ରୀ ସାଜିଛନ୍ତି ଏକ ଅନନ୍ୟ ଉଦାହରଣ ।