ବିଜେଡି ନିଷ୍ପତ୍ତି ପରେ ଟ୍ୱିଟ୍ କଲେ ବୈଜୟନ୍ତ : ଲେଖିଲେ, ସଂସଦର ସେଂଟ୍ରାଲ ହଲରେ କ’ଣ କଥା ହେଉଥିଲେ ସାଂସଦ

40

କନକ ବ୍ୟୁରୋ : ମଙ୍ଗଳବାର ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଘୋଷଣା ପରେ ଆସିଲା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଉଏକ ଟ୍ୱିଟ । ଯେଉଁଥିରେ ସେ ପାର୍ଲାମେଂଟର ସେଂଟ୍ରାଲ ହଲରେ କୁଆଡେ କିଛି ସାଂସଦ କଥାବାର୍ତ୍ତା ହେଉଥିବାବେଳେ ଶୁଣିଥିବା କଥା ଉଲ୍ଲେଖ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ଜଣେ ଶାସକ ଦଳ ସାଂସଦ କହୁଥିଲେ ନିଜେ ନିଜ ଗୋଲପୋଷ୍ଟକୁ ଗୋଲ ନକରନ୍ତୁ । ଅର୍ଥାତ ନିଜେ ନିଜ ଗୋଡରେ କୁରାଢି କାହିଁକି ମାରୁଛନ୍ତି । ଆଉ ବିରୋଧୀ ଦଳର ଜଣେ ସାଂସଦ କୁଆଡେ ଉତ୍ତର ରଖିଥିଲେ ଯେ, ଆମେ କହିଛୁ ହେଲେ ଏଠି କିଏ କାହା କଥା ଶୁଣୁଛି ।

ସେହିପରି ପାର୍ଲାମେଂଟ ସେଂଟ୍ରାଲ ହଲରେ କୁଆଡେ ଆଉଜଣେ ବଙ୍ଗଳା ସାଂସଦ କହୁଥିଲେ ଯେ, ସୁପ୍ରିମୋ କହିଲେ ଆମେ ଜେଲ ଯିବାକୁ ପ୍ରସ୍ତୁତ । ଆଉଟିକେ ବାଖ୍ୟା କରିବାକୁ ଯାଇ ବୈଜୟନ୍ତ ଟ୍ୱିଟରରେ ଲେଖିଛନ୍ତି, ସେହି ସାଂସଦଙ୍କ କହିବା ଅର୍ଥ ଥିଲା ଯେ, ସୁପ୍ରିମୋ ତାଙ୍କ ଭିତରୁ ଜଣକୁ ଜେଲ ଯିବା ପାଇଁ ପ୍ରସ୍ତୁତ ରଖିଛନ୍ତି । ନିଜ ଟ୍ୱିଟରରେ କେଉଁଠି ବି ବିଜେଡି କିମ୍ବା ନବୀନଙ୍କ ନାଁ ଉଲ୍ଲେଖ କରିନାହାନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ହେଲେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନବୀନଙ୍କ ଅଣଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଓ ପାର୍ଲାମେଂଟର ସେଂଟ୍ରାଲ ହଲରେ ସାଂସଦଙ୍କ କଥାବାର୍ତ୍ତା ଆଳରେ ନବୀନଙ୍କୁ ବୈଜୟନ୍ତଙ୍କ ଏହା ପରୋକ୍ଷ କଟାକ୍ଷ ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମେ ଏନଡିଏ ପ୍ରାର୍ଥୀ ଭେଙ୍କୟା ନାଇଡୁଙ୍କୁ ପ୍ରଶଂସା ଆଉ ନବୀନଙ୍କ ନିଷ୍ପତ୍ତି ଆସିବା ପରେ ବୈଜୟନ୍ତଙ୍କ ଟ୍ୱିଟର କଟାକ୍ଷ ରୋଚକ ରାଜନୀତି ତିଆରି କରିଛି । ସିଧାସଳଖ କଥା ନକହିଲେ ବି ବୁଲେଇ ବଙ୍କେଇ ନିଜ ମନର କଥାକୁ କିଛିକାଂଶରେ ପ୍ରକାଶ କରିବାକୁ ଚେଷ୍ଟାକରି ପୁଣି ଅଧାରେ ଅଟକାଇ ଦେଇଛନ୍ତି ବୈଜୟନ୍ତ ପଣ୍ଡା ।