ଲୋକସଭାରେ ଉଠିଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ମାମଲା! ଭର୍ତ୍ତୃହରି ପଚାରିଲେ ୩ଟି ପ୍ରଶ୍ନ , କହିଲେ, କାହିଁକି ବୈଜୟନ୍ତଙ୍କ ବିରୋଧରେ ହେବ ନାହିଁ ଅପରାଧିକ ଓ ମନି ଲଣ୍ଡରିଂ ମାମଲା

144

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ଆଣି ଆଜି ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତୃହରି ମହତାବ । ଭର୍ତୃହରି ସଂସଦରେ ୩ଟି ପ୍ରଶ୍ନ ପଚାରି, କାହିଁକି ବୈଜୟନ୍ତଙ୍କ ବିରୋଧରେ ଅପରାଧିକ ଓ ମନି ଲଣ୍ଡରିଂ ମାମଲା କରାନଯିବ , ସେନେଇ ପ୍ରଶ୍ନ ଉଠାଇଛନ୍ତି । ବାହାମାସ ଦେଶରେ ଆକାଉଂଟ୍ ଖୋଲିବା ଓ ବନ୍ଦ କରିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୈଜୟନ୍ତ ସୂଚନା ଦେଇଛନ୍ତି କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବୈଜୟନ୍ତ କହିଛନ୍ତି , ତାଙ୍କର ବାହାମାସରେ କୌଣସି ଆକାଉଣ୍ଟ ନାହିଁ ।

ମନି ଲଣ୍ଡରିଂ ମାମଲାରେ ବୈଜୟନ୍ତଙ୍କୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଭର୍ତୃହରି କହିଛନ୍ତି, ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଂଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି? ଭର୍ତୃହରି କହିଛନ୍ତି, ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତାନ୍ତ ଆବଶ୍ୟକ । ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ବିଜେଡି ସାଂସଦ ଆହୁରି ପଚାରିଥିଲେ ଯେ, ବାହାମାସରେ ଆକାଉଣ୍ଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଂଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା । ବୈଜୟନ୍ତ ପଣ୍ଡା ବାହାମାସ ଆକାଉଣ୍ଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତୃହରି ।

ଯଦି ଆଇନର ଏସବୁ ସର୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ବିଜେଡି ସାଂସଦ ଯୁକ୍ତି ବାଢିଛନ୍ତି । ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଂଲଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି ଲୋକସଭାରେ କହିଛି । ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଅଭିଯୋଗ ଆସିଥିଲା । ଗତ ଜାନୁଆରୀରେ ଆସିଥିବା ଏହି ଅଭିଯୋଗରେ କୁହାଯାଇଛି, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଂଘନ କରିଛନ୍ତି । ଅଭିଯୋଗ ଅନୁସାରେ, ମିଛ କମ୍ପାନୀ ଗଠନ କରି ଏମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଛନ୍ତି ।

ସେପଟେ ବୈଜୟନ୍ତ ଏହି ମାମଲାରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କର ବାହାମାସରେ କୌଣସି ଆକାଉଂଟ୍ ନାହିଁ । ତେବେ ୬୦ ବର୍ଷ ଧରି ତାଙ୍କ ପରିବାର ପୃଥିବୀର ଚାରିଆଡେ ବ୍ୟବସାୟିକ କାରବାର କରନ୍ତି । ଏସବୁ କାରବାର ଅଫିସିଆଲ୍ ଚ୍ୟାନେଲ ମାଧ୍ୟମରେ ହୁଏ ଓ ସଂପୃକ୍ତ ଅଧିକାରୀଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥାଏ ଏବଂ ଏସବୁ ସର୍ବସାଧାରଣରେ ପ୍ରକାଶ ପାଇଛି ବୋଲି ବୈଜୟନ୍ତ ସଫେଇ ରଖିଛନ୍ତି ।