ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୋଦି ସରକାରଙ୍କ ପ୍ରୟାସ : ଉତ୍ତମ ଚିକିତ୍ସକଙ୍କୁ ପୁରସ୍କାର ସହ ମିଳିବ ସମ୍ମାନ

56

କନକ ବ୍ୟୁରୋ : ଦେଶରେ ଥିବା ସରକାରୀ ମେଡିକାଲରେ ଯେଉଁ ଡାକ୍ତର ଓ କର୍ମଚାରୀମାନେ ରୋଗୀଙ୍କର ଉତ୍ତମ ସେବା କରିବେ ସେମାନଙ୍କୁ ଏଣିକି ପୁରଷ୍କାର ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ଦେଶର ସ୍ୱାସ୍ଥ୍ୟ ବିଭାଗ ପାଇଁ କରାଯାଇଥିବା ଆୟୁଷ୍ମାନ ଯୋଜନାରେ ଏହାକୁ ଅର୍ନ୍ତଭୁକ୍ତ କରାଯାଇଛି । ଏହାର ଅର୍ଥ ପ୍ରତି ଡାକ୍ତରଙ୍କୁ ବାର୍ଷିକ ୧ ରୁ ୩ ଲକ୍ଷ ପର୍ଯ୍ୟନ୍ତ ଇନସେଣ୍ଟିଭ୍ ମିଳିପାରେ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଦିବସ ଅବସରରେ ଉତ୍ତମ ଚିକିତ୍ସକଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବ କରି ସମ୍ମାନ କରାଯିବ ।

ଏଥିପାଇଁ ମେଡିକାଲରେ ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରାଯିବ । ଏହି କମିଟି ସମସ୍ତ ଘଟଣାକୁ ଅନୁଧ୍ୟାନ କରିବ । ଯଦି ମେଡିକାଲକୁ କୌଣସି ବଦାନ୍ୟ ବ୍ୟକ୍ତି କିଛି ଅର୍ଥ ଦାନ କରନ୍ତି । ତେବେ ସେହି ଟଙ୍କାର ୭୫ ଭାଗ ମେଡିକାଲର ବିକାଶ ଦିଗରେ ଓ ୨୫ ପ୍ରତିଶତ ଯେଉଁମାନେ ସେଠାରେ ଥିବା ରୋଗୀଙ୍କର ଉତ୍ତମ ସେବା କରୁଥିବେ ସେମାନଙ୍କୁ ଦିଆଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ନୂତନ ନିୟମକୁ ଖୁବଶୀଘ୍ର ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ସାରା ଦେଶର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ମୋଟ ୧୦ ଲକ୍ଷ ଡାକ୍ତର ଓ ୨୫ ଲକ୍ଷ କର୍ମଚାରୀ ମେଡିକାଲରେ କାମ କରୁଛନ୍ତି । ଏହି ସମସ୍ତ କର୍ମଚାରୀମାନେ କିପରି ଭଲଭାବରେ ରୋଗୀଙ୍କ ସେବା କରିବେ ସେଥିଲାଗି ଏହି ଯୋଜନା କରାଯାଇଛି । ଡାକ୍ତରମାନେ ୩ ଲକ୍ଷ ଓ ଅନ୍ୟାନ୍ୟ କର୍ମଚାରୀମାନେ ଦେଢ ଲକ୍ଷ ପର୍ଯ୍ୟନ୍ତ ପୁରଷ୍କାର ପାଇପାରିବେ । ଏହାସହ ଆୟୁଷ୍ମାନ ମିତ୍ର ଫଣ୍ଡରୁ ମଧ୍ୟ କର୍ମଚାରୀଙ୍କୁ ଟଙ୍କା ମିଳିବ ।

ରୋଗୀ କରିପାରିବେ ଅଭିଯୋଗ
ଏଣିକି ସରକାର ଡାକ୍ତରଖାନାକୁ ଆସିଥୁବା ରୋଗୀମାନେ ଯଦି ସେମାନଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେଲା ତେବେ ସେମାନେ ନିର୍ଦ୍ୱନ୍ଦରେ ଅଭିଯୋଗ କରିପାରନ୍ତି । ଜିଲ୍ଲା ସ୍ତରୀୟ କମିଟିରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କୁ ଅଧ୍ୟକ୍ଷ ରଖାଯିବ । ଏହା ସହ ରାଜ୍ୟସ୍ତରୀୟ କମିଟିରେ ରାଜ୍ୟର ସିଇଓ(ଚେୟାରମ୍ୟାନ) ଅଧ୍ୟକ୍ଷ ରହିବେ । ଏହି କମିଟି ପ୍ରତ୍ୟେକ ୧୫ ଦିନରେ ଥରେ ଅଭିଯୋଗ ଉପରେ ବିଚାର କରାଯିବ । ଏହାସହ ଏକ ରାଷ୍ଟ୍ରୀୟ କମିଟି ମଧ୍ୟ ରହିବ । ରାଷ୍ଟ୍ରୀୟ କମିଟି ସମସ୍ତ କମିଟି କୁ ମନିଟରିଂ କରିବା ସହ ଲୋକମାନଙ୍କ ଅଭିଯୋଗ ଉପରେ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା ଉପରେ ଏହି କମିଟି ରିର୍ପୋଟ ତଲବ କରିପାରିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।