ଓଡ଼ିଶାରେ ଅଟୋମୋବାଇଲ ସେକ୍ଟରରେ ପଡିନି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ, ଗତବର୍ଷ ଅପେକ୍ଷା ଅଧିକ ରାଜସ୍ୱ ଆଦାୟ କଲା ପରିବହନ ବିଭାଗ ।

255

କନକ ବ୍ୟୁରୋ : ଓଡ଼ିଶା ଉପରେ ପଡିନି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ । ସାରା ଦେଶରେ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅଟୋମୋବାଇଲ ସେକ୍ଟରରେ ହାହାକାର ପଡିଛି ସେତେବେଳେ ଓଡ଼ିଶା କରିଛି ନୂଆ ରେକର୍ଡ । ଆର୍ଥିକ ମାନ୍ଦାବସ୍ଥା ସତ୍ତେ୍ୱ ମଧ୍ୟ ପରିବହନ ବିଭାଗ ପୂର୍ବବର୍ଷ ଅପେକ୍ଷା ଅଧିକ ଟଙ୍କା ରାଜସ୍ୱ ଆଦାୟ କରିଛି । ଯାହା ଦର୍ଶାଉଛି ଓଡ଼ିଶା ଉପରେ ମାନ୍ଦାବସ୍ଥାରେ ସେମିତି ଖାସ୍ ପ୍ରଭାବ ପଡିନି ।

ଗତ ୧୦ ମାସ ହେବ ଦେଶର ଅଟୋମୋବାଇଲ ସେକ୍ଟରରେ ଆର୍ଥିକ ମାନ୍ଦାବସ୍ଥାର ବଡ ଧରଣର ପ୍ରଭାବ ଦେଖିବାକୁ ମିଳିଛି । ଉଭୟ ଚାରି ଚକିଆ ଓ ଦୁଇ ଚକିଆ ଗାଡି ବିକ୍ରି କମିଥିବା ବେଳେ ଅଟୋମୋବାଇଲ ସେକ୍ଟର କ୍ଷତିରେ ଚାଲିଛି । ଏପରିକି ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ଆର୍ଥିକ ମାନ୍ଦାବାସ୍ଥାକୁ ଦେଖି କିଛି କମ୍ପାନି କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ମାରୁତି ସୁଜୁକି କମ୍ପାନି ସେପ୍ଟେମ୍ବର ମାସରେ ୨ ଦିନ ଉତ୍ପାଦନ ବନ୍ଦ ରଖିଥିଲା । କିନ୍ତୁ ଏଭଳି ସ୍ଥିତିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଏକ ବଡ ବାର୍ତ୍ତା ଦେଇଛି ।

ଅକ୍ଟୋବର ଶେଷ ସୁଦ୍ଧା ଯେତେବେଳେ ପୂରା ଦେଶରେ ଗାଡି ବିକ୍ରି ସଂଖ୍ୟା କମିଛି ସେତେବେଳେ ଓଡ଼ିଶାରେ ଗାଡି ବିକ୍ରି ବୃଦ୍ଧି ପାଇଛି । ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମନୋଜ ମିଶ୍ରଙ୍କ କହିବା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ପରିବହନ ବିଭାଗ ରାଜସ୍ୱ ବାବଦରେ ୧୦୦୪ କୋଟି ଟଙ୍କା ପାଇଛି । ତେବେ ଗତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ରାଜସ୍ୱ ବାବଦକୁ ୧୦୦୧ କୋଟି ଟଙ୍କା ଆଦାୟ କରିଥିଲା ପରିବହନ ବିଭାଗ । ଏହି ରାଜସ୍ୱର ପ୍ରାୟ ୮୦ ଭାଗ ନୂଆ ଗାଡି ପଞ୍ଜୀକରଣ ଓ ରୋଡ ଟ୍ୟାକ୍ସ ବାବଦକୁ ଆଦାୟ କରାଯାଉଛି । ଯାହା ଦର୍ଶାଉଛି, ଓଡ଼ିଶାରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଗାଡି ବିକ୍ରି ହୋଇଛି ।