ମାଇନସ୍ ଡିଗ୍ରୀରେ ବି ଦମ୍ ଦେଖାଇଲା ସେନା ! ସୋପିଆନରେ ନିପାତ ହେଲେ ୨ ଆତଙ୍କୀ, ଯବାନଙ୍କୁ ଦେଶର ଉଚ୍ଚପ୍ରଶଂସା  ।

190

କନକ ବ୍ୟୁରୋ : ବରଫପାତ ଜାରିଥିବା ବେଳେ ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ  । ସୋପିଆନରେ ନିପାତ ହେଲେ ୨ ଆତଙ୍କୀ  । ଏଥି ସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟ୍ ଜୋରଦାର ଚାଲିଥିବା ପ୍ରମାଣିତ ହୋଇଛି  । ସୋପିଆନ ଜୈନାପୋରା ଇଲାକାରେ ଏହି ଅପରେସନ୍ ହୋଇଥିବା ବେଳେ ବରଫପାତ ଜାରିଥିବା ସମୟରେ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯବାନଙ୍କ ଅତୁଟ ମନୋବଳ ଆଡ଼କୁ ଇସାରା ଦେଇଛି  ।

ସ୍ଥାନ – ସୋପିଆନ୍ର ଜୈନାପୋରା ଗାଁ । ସମୟ – ମଙ୍ଗଳବାର ସକାଳ । ଆତଙ୍କ ଗତିବିଧିର ସୂଚନା ପାଇ ସେନା କର୍ଡନ୍ ଓ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଅଚାନକ ଶୁଭେ ଗୁଳିମାଡ଼ର ଶବ୍ଦ  । ଯବାନଙ୍କ ଉପରକୁ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଦିଅନ୍ତି  । ଯବାନ ତୁରନ୍ତ ନିଜ ପୋଜିସନ୍ ସମ୍ଭାଳିବା ସହ ଆରମ୍ଭ କରିଥିଲେ କାଉଣ୍ଟର ଫାୟରିଂ  । ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିବା ପରେ ଯବାନଙ୍କ ଗୁଳିରେ ନିପାତ ହୋଇଥିଲେ ଆତଙ୍କୀ  । ଏହି ଅପରେସନରେ ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫର ୧୮୦ ବାଟାଲିଅନ୍, ଜାମ୍ମୁ କାଶ୍ମୀର ପୁଲିସ ଓ ଏସଓଜିର ଯବାନ୍ ସାମିଲ୍ ହୋଇଥିଲେ  । ଜାମ୍ମୁ କାଶ୍ମୀରରେ ବରଫପାତ ଜାରିଥିବା ବେଳେ ଯବାନଙ୍କ ଏଭଳି କାରନାମାକୁ ସାଧାରଣ ମହଲରେ ଉଚ୍ଚପ୍ରଶଂସା କରାଯାଇଛି  ।

ଆତଙ୍କ ଉପରେ ସେନାର ଚାବୁକ୍ :

– ସୋମବାର ଦିନ ବଡ଼ଗାଓଁରେ ସେନା ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲା  ।

– ୨୪ ଘଂଟା ମଧ୍ୟରେ କାଶ୍ମୀରରେ ୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି  ।

– ମୃତ ୨ ଆତଙ୍କବାଦୀ ଅଲ୍ ବଦର୍ ଗ୍ରୁପର ସଦସ୍ୟ  ।

– ଚଳିତବର୍ଷ ଏବେ ପର୍ଯ୍ୟନ୍ତ ୨୫୦ରୁ ଅଧିକ ଆତଙ୍କୀ ନିପାତ ହେଲେଣି  ।

– ଗତବର୍ଷ ଏହି ସମୟ ମଧ୍ୟରେ ୨୧୩ ଆତଙ୍କବାଦୀ ନିପାତ ହୋଇଥିଲେ  ।

– ଚଳିତବର୍ଷ ୫୪ ଆତଙ୍କବାଦୀଙ୍କୁ ଜୀବିତ ଧରାଯାଇଛି  ।

ଜାମ୍ମୁ କାଶ୍ମୀରରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଆତଙ୍କୀ ହେଉଛନ୍ତି ସ୍ଥାନୀୟ ଅଂଚଳର  । ଆଜିର ଅପରେସନ୍ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି  । ଅନ୍ୟପଟେ ଲଗାତର ଭାବେ କାଶ୍ମୀରରେ ଅପରେସନ୍ ଅଲଆଉଟକୁ ଜୋରଦାର କରାଯିବାରୁ ପାକର ନିଦ ହଜିବା କୁହାଯାଉଛି  ।