ଜାମ୍ମୁ କାଶ୍ମୀରରେ ରେକର୍ଡ ତୁଷାରପାତ ! ଚାରିଆଡେ ବରଫର ଆସ୍ତରଣ, ସେପଟେ ମଜା ନେବାକୁ କୁଲୁ, ସିମଲା ଓ କାଶ୍ମୀରରେ ପର୍ଯ୍ୟଟକଙ୍କ ଭିଡ଼ ।
କନକ ବ୍ୟୁରୋ : ଥରୁଛି ଭାରତ । କାଶ୍ମୀରରୁ କନ୍ୟାକୁମାରୀ, ଗୁଜରାଟରୁ ଅରୁଣାଚଳ ପ୍ରଦେଶ ସାରା ଦେଶରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ଜାମ୍ମୁ କାଶ୍ମୀରର ଅଧିକାଂଶ ଅଂଚଳ ଏବେ ମାଇନସ୍ ଡିଗ୍ରୀ ତାପମାତ୍ରା ତଳେ ରହୁଥିବା ଓ ବରଫପାତ ଜାରି ରହିଥିବା ଜଣା ପଡ଼ିଛି । ଅନ୍ୟପଟେ ଏହାର ପ୍ରଭାବ ୟୁପି, ବିହାର, ହରିଆଣା ପରି ରାଜ୍ୟ ଗୁଡ଼ିକରେ ସିଧାସଳଖ ପଡ଼ିଛି । ସେପଟେ ପାଣିପାଗ ବିଭାଗ କହିଛି ଶୀତ ଆଗକୁ ବି କିଛି ଦିନ ଲାଗି ରହିବ । ଏଭଳି ସ୍ଥିତିରେ ଶୀତରୁ ମୁକ୍ତି ପାଇଁ ସମସ୍ତେ ଖୋଜୁଛନ୍ତି ବାଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ମାଇନସ ଡିଗ୍ରୀରେ ଥରୁଛି ଜାମ୍ମୁକାଶ୍ମୀର । ଗଛଲତା, ରାସ୍ତାଘାଟ, ଘରଦ୍ୱାରା ସବୁକିଛି ବରଫ ପାଲଟିଯାଇଛି । ରଜୌରୀର ପିରପଂଜାଲ ଓ ମୁଗଲ ରୋଡରେ ପ୍ରାୟ ୨ଫୁଟ ଲେଖାଏଁ ବରଫ ଜମିରହିବା କାରଣରୁ ଯାତାୟତ ବନ୍ଦ ରହିଛି । ବରଫ ସଫା ଗାଡି ସାହାଯ୍ୟରେ ରାସ୍ତାରୁ ବରଫ ହଟାଯାଉଛି । ସେପଟେ ଜବାହାର ଟନେଲରେ ବରଫ ପାହାଡ ଖସିପଡିବା ଯୋଗୁଁ ଯାତାୟତ ବନ୍ଦ ରହିଛି । ଫଳରେ ଏଠାକୁ ଆସିଥିବା ପର୍ଯ୍ୟଟକମାନେ ବରଫର ମଜା ନେଉଥିବାବେଳେ କିନ୍ତୁ ଯାତାୟତ ବନ୍ଦ ଥିବା ଯୋଗୁଁ ଗୋଟିଏ ଜାଗାରେ ଅଟକି ରହିଛନ୍ତି ।
ଉତ୍ତରାଖଣ୍ଡରରୁ ବି ସମାନ ଚିତ୍ର ସାମ୍ନାକୁ ଆସିିଛି । ଘର ଓ ରାସ୍ତା ସମେତ ବଡ ବଡ ପାହାଡକୁ ଘୋଡାଇ ରଖିଛି ବରଫ । ରାଜ୍ୟର ମୁନସିଆରୀ, ରାନିକ୍ଷେତ ଓ ଟିହରି ଆଦି ଅଂଚଳରେ ପାରଦ ମାଇନସ ଡିଗ୍ରୀ ତଳେ ରହୁଛି । ଫଳରେ ଗତ ଦୁଇ ଦିନ ହେଲା ଲଗାତର ଭାବେ ତୁଷାରପାତ ହେଉଛି । ଏପରି ଦୃଶ୍ୟ ଘାଟିର ସୌନ୍ଦର୍ଯ୍ୟକୁ ବଢାଇଛି । କିନ୍ତୁ ଅପରପକ୍ଷରେ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି ।
ହିମାଚଳପ୍ରଦେଶର କୁଲୁ ଓ ମନାଲିରୁ ମଧ୍ୟ ତୁଷାରପାତ ଚିତ୍ର ସାମ୍ନାକୁ ଆସିଛି । ସବୁଆଡେ ବରଫର ଆସ୍ଥରଣ । ଗଛଲତା, ରାସ୍ତାଘାଟ, ଘରଦ୍ୱାରା ସବୁକିଛି ବରଫ ପାଲଟିଯାଇଛି । ସିମଲା, ନରକଣ୍ଡା, କିନ୍ନୋର ଓ ଚମ୍ବା ଅଂଚଳରେ ସତେ ଯେମିିତି ଏକ ଧଳା ଚାଦର ଘୋଡେଇ ହୋଇଛି, ଏଭଳି ଏକ ଭ୍ରମ ସୃଷ୍ଟି ହେଉଛି । ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।