ଅପରାଜିତା ଆସିବେ ହେଲେ କେଉଁ ଭୂମିକାରେ? ୨୭ରେ ଦିଲ୍ଲୀ, ୧ରେ ଭୂବନେଶ୍ୱର

ଦିଲ୍ଲୀରେ କିରଣ ବେଦୀଙ୍କ ସ୍ଥିତି ମନେ ପକାଇ ଦେଇ ଗୁଗୁଲି ଛାଡିଲେ ପ୍ରଶାନ୍ତ ନନ୍ଦ

218

କନକ ବ୍ୟୁରୋ: କେଉଁ ଭୂମିକାରେ ଆସିବେ ଅପରାଜିତା? ବିଜେପିରେ ଅପରାଜିତା ଷଡଙ୍ଗୀକୁ ମିଳିବ କେଉଁ ଦାୟିତ୍ୱ? ବରିଷ୍ଠ ପ୍ରଶାସିକା ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ନେଇ ସ୍ପଷ୍ଟ ହେବା ପରେ ଏମିତି ଅନେକ ପ୍ରଶ୍ନ ଏବେ ଘୁରି ବୁଲୁଛି । ଆଉ ଏହାରି ଭିତରେ ଆସିଛି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ବୟାନ । ଯେଉଁଥରେ ସେ କହିଛନ୍ତି- ପୃଥ୍ୱୀରାଜ ହରିଚନ୍ଦନ ଲୋକସଭାରୁ ନୁହେଁ ବିଧାନସଭାରୁ ନିର୍ବାଚନ ଲଢ଼ିପାରନ୍ତି । ଭୁବନେଶ୍ୱର ଲୋକସଭା ବଦଳରେ ଚିଲିକା ବିଧାନସଭାରୁ ଲଢ଼ିପାରନ୍ତି ପୃଥ୍ୱୀରାଜ । ଏହି ବୟାନ ପରେ ଚର୍ଚ୍ଚା ହେଉଛି- ଭୁବନେଶ୍ୱର ଲୋକସଭାରୁ ନିର୍ବାଚନ ଲଢ଼ିିବେ କି ଅପରାଜିତା ଷଡଙ୍ଗୀ ।

ଅପରାଜିତା ବିଜେପିରେ ମିଶିବା ନେଇ ସ୍ପଷ୍ଟ ହେବା ପରେ ଏବେ ସେ ଦଳରେ କେଉଁ ଭୂମିକା ତୁଲାଇବେ ତାକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଜୋରଧରିଛି । ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ହେବ ଅପରାଜିତାଙ୍କ ମିଶ୍ରଣ ପର୍ବ । ସୂଚନା ମିଳିଛି, ବିଜେପିର ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ଏହି ପୂର୍ବତନ ବ୍ୟୁରୋକ୍ରାଟ । ବିଜେପିରେ ଯୋଗ ଦେବା ପରେ ୨୮ରେ ସେ ଭୁବନେଶ୍ୱର ଫେରିବେ ।

ଡିସେମ୍ବର ୧ରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ରାଜନୀତିରେ କେଉଁ ଭୂମିକା ତୁଲାଇବେ ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ବିଶ୍ୱଭୂଷଣ କହିଛନ୍ତି, ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ଲୋକସଭା ଆସନ ଛାଡ଼ି ଚିଲିକା ବିଧାନସଭା ଆସନ ପାଇଁ ପ୍ରସ୍ତୁତ ହେଉଛି । ଯାହା ଅପରାଜିତାଙ୍କ ପାଇଁ ବାଟ ଫିଟାଇବ ବୋଲି ଆଲୋଚନା ହେଉଛି ।

 

ସେପଟେ ଅପରାଜିତାଙ୍କ ବିଜେପିରେ ଯୋଗଦାନ ପ୍ରସଙ୍ଗକୁ ହାଲୁକାର ସହ ନେଇଛି ବିଜେଡି । ତେବେ ଦିଲ୍ଲୀରେ କିରଣ ବେଦୀଙ୍କ ସ୍ଥିତି ମନେ ପକାଇ ଦେଇ ଗୁଗୁଲି ଛାଡିଛନ୍ତି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ । ତେବେ ଦକ୍ଷ ପ୍ରଶାସକର ସୁନାମକୁ ପାଥେଇ କରି ରାଜନୀତିକୁ ଓହ୍ଲାଉଛନ୍ତି ଅପରାଜିତା । ହେଲେ ରାଜନୀତିର ଜଟିଳ ଗଣିତକୁ ସମାଧାନ କରି ସେ କିପରି ଆଗଉଛନ୍ତି, ତାହା ଉପରେ ରହିଛି ଓଡ଼ିଶାବାସୀଙ୍କ ନଜର ।