ବିନ୍ଦୁ ସାଗରରେ ଭାସିଲା ହକି ଷ୍ଟାଡିୟମ ! ମଝିରେ ଛିଡା ହୋଇଥିଲେ ନବୀନ

554

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ବଡି ଭୋରରୁ ବିନ୍ଦୁସାରରରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ହାତରେ ଥିଲା ଛୋଟରୁ ଆରମ୍ଭ କରି ବଡ ବଡ ଏପରିକି ବିଭିନ୍ନ ରଙ୍ଗ ବେରଙ୍ଗର ଡଙ୍ଗା । କିନ୍ତୁ ଏହି ଭିଡ ଭିତରେ ସାଧବ ବୋହୂ ବେଶରେ ଦୁଇଜଣ କୁନି ବାଳିକା ଧରିଥିବା ଡଙ୍ଗା ଉପରେ ସମସ୍ତଙ୍କର ନଜର ଲାଖି ଯାଉଥିଲା । ଯେକେହି ବି ଶ୍ରଦ୍ଧାଳୁ ଡଙ୍ଗା ଭସାଇବାକୁ ଆସୁଥିଲେ ସମସ୍ତେ କିଛି କ୍ଷଣ ପାଇଁ କୁନି ବାଳିକା ଧରିଥିବା ଡଙ୍ଗା ପାଖରେ ଅଟକି ରହି ଯାଉଥିଲେ । କାରଣ ଏହି ଡଙ୍ଗା ଭିତରେ ରହିଥିଲା ପୂରା କଳିଙ୍ଗ ଷ୍ଟାଡିୟମ ।

ବୋଇତ ଭିତରେ କଳିଙ୍ଗ ଷ୍ଟାଡିୟମ । ଏଭଳି ଏକ ଭିନ୍ନ ଧରଣର ଡଙ୍ଗା ଧରି ବିନ୍ଦୁ ସାଗରରେ ପହଞ୍ଚିଥିଲେ ସାଧବ ବୋହୂ ବେଶରେ ଆସିଥିବା ଦୁଇ କୁନି ବାଳିକା । ଡଙ୍ଗା ତ ନୁହେଁ ସତେ ଯେମିତି ପୂରା କଳିଙ୍ଗ ଷ୍ଟାଡିୟମର ଅବିକଳ ନକଲ ଚିତ୍ର । ଡଙ୍ଗାକୁ ଅବିକଳ କଳିଙ୍ଗ ଷ୍ଟାଡିୟମର ରୂପ ଦିଆଯାଇଥିବା ବେଳେ ଏଥିରେ ହକି ବିଶ୍ୱକପର ଝଲକ ଦେଖିବାକୁ ମିଳିଥିଲା । ୧୬ଟି ଦେଶର ପତାକା ସହ ହକି ବିଶ୍ୱକପ ଆୟୋଜନର ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଏହି ଡଙ୍ଗାରେ ରହିଥିଲା । ଏହାସହ ବିଶ୍ୱକପ ଟ୍ରଫି ଓ ନବୀକରଣ ହୋଇଥିବା ପ୍ରତିଟି ଛବି ଡଙ୍ଗାରେ ଦେଖିବାକୁ ମିଳିଥିଲା । ହକି ବିଶ୍ୱକପକୁ ପ୍ରମୋଟ କରିବାକୁ କୁନି ବାଳିକାଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ ପ୍ରଂଶସା କରାଯାଇଛି ।

ଓଡିଶାରେ ଏବେ ହକି ଫିଭର । ପୂରା ରାଜ୍ୟବାସୀଙ୍କୁ ଏବେ କିମିଆ କରିଛି ହକି ବିଶ୍ୱକପ । ରାଜ୍ୟରେ ହକିର କ୍ରେଜ ଏତେ ବଢି ଯାଇଛି ଯେ, ପିଲାଠୁ ବୁଢା ଏବେ ସମସ୍ତେ ହକି ପାଇଁ ପାଗଳପ୍ରାୟ । ଆଉ ଏହାର ଝଲକ କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗା ଭସାରେ ମଧ୍ୟ ଦେଖିବାକୁ ମିଳିଛି ।