କନକ ବ୍ୟୁରୋ : ସାଂସ୍କୃତିକ ମଂଚରେ ରାଜନୀତିର ଲଢ଼େଇ । ଶାସକ ଦଳର ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ଉପରେ ବର୍ଷିଲେ ଡକ୍ଟର ଦାମୋଦର ରାଉତ । ଆଉ ସେହି ମଂଚରେ ହିଁ ଦାମଙ୍କ ଆକ୍ରମଣ କଡ଼ା ଜବାବ ରଖିଲେ ବିଜେଡି ନେତା । ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରତାପ ଜେନା, ସାଂସଦ କୁଳମଣି ସାମଲ ଓ ବିଧାୟକ ପ୍ରଶାନ୍ତ ମୁଦୁଲି, ଦାମଙ୍କ କଟାକ୍ଷରୁ ବାଦ ପଡିନଥିଲେ । ଆଉ ଏହାର ମିଳିତ ଜବାବ ଦେଇଥିଲେ ଶାସକ ଦଳ ମନ୍ତ୍ରୀ, ସାଂସଦ ଓ ବିଧାୟକ । ପାରଦୀପ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଛି ଏମିତି କିଛି ପଲିଟିକାଲ ଡ୍ରାମା ।
କାର୍ଯ୍ୟକ୍ରମ ଥିଲା ସାଂସ୍କୃତିକ, ଅବସର ଥିଲା ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ । ଗୋଟିଏ ମଂଚରେ ଉପସ୍ଥିତ ଥିଲେ ବିଜେଡିରୁ ବିଦା ହୋଇଥିବା ଡକ୍ଟର ରାଉତଙ୍କ ସହ ଶାସକ ଦଳର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ । ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ମଞ୍ଚରେ ବିଜେଡି ନେତାଙ୍କ ଗହଣରେ ଥିଲେ ଦାମ ରାଉତ । ସବୁ ଠିକ୍ ଥିଲା, ଯେତେବେଳ ଯାଏଁ ଦାମ ରାଉତଙ୍କ ଭାଷଣ କଳିଙ୍ଗର ଐତିହ୍ୟ ଭିତରେ ସୀମିତ ଥିଲା । ହେଲେ ସବୁ ସୀମା ଟପି ଯାଇଥିଲା ଯେତେବେଳେ ସିଧାସଳଖ ବିଜେଡି ନେତାଙ୍କ ନାଁ ନେଇ ବର୍ଷିବା ଆରମ୍ଭ କରିଦେଲେ ଦାମ କାହାରିକୁ ଛାଡି ନଥିଲେ ଡକ୍ଟର ରାଉତ । ବିଜୁ ବାବୁଙ୍କ ଆଦର୍ଶକୁ ଆଶ୍ରା କରି ମଂଚରେ ଥିବା ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ସମାଲୋଚନା ଆରମ୍ଭ କରିଦେଲେ । ଠିକ୍ ଯେମିତି ଦାମ ଆକ୍ରମଣ କରିଥିଲେ, ପ୍ରତି ଉତରରେ ଦାମଙ୍କୁ ବି ପାଲଟା ଆକ୍ରମଣ କରିଥିଲେ ବିଜେଡି ନେତା ।
ଦାମଙ୍କ ବକ୍ତବ୍ୟ ପରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କର ପାଳି ପଡ଼ିଥିଲା। ଅତନୁ ସିଧାସଳଖ ଦାମଙ୍କୁ ସମାଲୋଚନା କରିନଥିଲେ। ମାତ୍ର, ଲକ୍ଷ୍ମଣରେଖା ମଧ୍ୟମରେ ରହି ସମସ୍ତେ ବକ୍ତବ୍ୟ ଦେବା ଉଚିତ୍ ବୋଲି କହିଥିଲେ। ଏହାପରେ ବକ୍ତବ୍ୟ ରଖିବା ପାଇଁ ଆସିଥିବା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ, ଆତ୍ମ ଗର୍ବ ପରିତ୍ୟାଗ କରି ପ୍ରତ୍ୟେକ ବ୍ୟକ୍ତି ନିଜେ ଆତ୍ମସମୀକ୍ଷା କରିବା ଉଚିତ୍। ସବୁବେଳେ ବିଜୁ ବାବୁଙ୍କୁ ସାମ୍ନାରେ ରଖି ମିଛ ବାହାସ୍ଫୋଟ ମାରିବା ଛାଡ଼ନ୍ତୁ ବୋଲି ସେ ପରୋକ୍ଷରେ ଦାମଙ୍କୁ ଇଙ୍ଗିତ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମନ୍ତ୍ରୀ ଅଶୋକ ପଣ୍ତା ମଧ୍ୟ ଦାମଙ୍କୁ ସମାଲୋଚନା କରିଥିଲେ। ଶେଷରେ, ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ବିଜୁ ବାବୁ୍ଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଧରିନେଇଥିବା ନେତାମାନେ ବଡ଼ ଭୁଲ କରୁଛନ୍ତି । କାରଣ ବିଜୁ ବାବୁ ସମସ୍ତ ଓଡ଼ିଆଙ୍କର ସମ୍ପତ୍ତି ବୋଲି ଏହି ନେତା ଜଣକ ଭୁଲି ଯାଆନ୍ତୁ ନାହିଁ ବୋଲି ପରୋକ୍ଷରେ ଦାମଙ୍କୁ ଇଙ୍ଗିତ କରି ଶ୍ରୀ ଜେନା କହିଥିଲେ। ଦାମଙ୍କ ଭାଷଣ ପରେ ବିଜେଡି ନେତା ମଧ୍ୟ ପାଲଟା ଜବାବ ରଖିଥିଲେ ।ଯାହା ପାରାଦୀପ ବାଲିଯାତ୍ରା ଉଦ୍ଘାଟନୀକୁ ସରଗରମ କରିଦେଇଥିଲା ।