ବିଜେପୁରରେ ବିଜୟ ବାନା ଉଡାଇବା ପାଇଁ ନବୀନଙ୍କ ରଥର ସାରଥୀ ସାଜିବେ ଅନୁପ ଓ ରୀତା । ଦଳପତିଙ୍କ ପାଇଁ କରିବେ ପ୍ରଚାର, ବରଗଡରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ବିଜେଡି 

497

କନକ ବ୍ୟୁରୋ : ବିଜେପୁରରେ ନବୀନଙ୍କ ସାରଥୀ ସାଜିବେ ଅନୁପ ଓ ରୀତା । ବିଜେଡି ସୁପ୍ରିମୋଙ୍କ ପାଇଁ ବିଜେପୁର ନୂଆ ହୋଇଥିବା ବେଳେ ନବୀନଙ୍କ ଏଠାରେ ବିଜୟୀ କରାଇବା ପାଇଁ ବାଟ ଦେଖାଇବେ ଅନୁପ ଓ ରୀତା । ଏହି ଦୁହିଁଙ୍କୁ ସାଥୀ କରି ବିଜେପୁର ମୈଦାନରେ ବିଜୟୀ ବାନା ଉଡାଇବାକୁ ଲକ୍ଷ୍ୟ ରଖିଛନ୍ତି ବିଜେଡି ସୁପ୍ରିମୋ । ଆଉ ଖାସ୍ ଏଥିପାଇଁ ଅନୁପ ଓ ରୀତାଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳପତି । ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ଅନୁପଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଓ ରୀତାଙ୍କୁ ସହ-ଅଧ୍ୟକ୍ଷା ଭାବେ ବଡ ଦାୟିତ୍ୱ ଦେଇଛନ୍ତି ନବୀନ । ଅଥାର୍ତ ବିଜେପୁର ଆସନରେ ନବୀନଙ୍କ ପାଇଁ ପ୍ରଚାରର ମଙ୍ଗ ଧରିବେ ଅନୁପ ଓ ରୀତା ।

ଗୋଟିଏ ପଟେ ପୂରା ରାଜ୍ୟର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ନବୀନ ହିଁ ଏକମାତ୍ର ବଡ ଚେହେରା । ନବୀନଙ୍କ ବିନା ନିର୍ବାଚନ ବୈତରଣୀ ପାର କରିବା ଯେ କଷ୍ଟକର ବ୍ୟାପାର ତାହା ଅନେକ ନେତା ଜାଣିଛନ୍ତି । ପୂରା ରାଜ୍ୟରେ ପ୍ରଚାରର ମଙ୍ଗ ଧରିଥିବା  ନବୀନଙ୍କ ପାଇଁ କିନ୍ତୁ ବିଜେପୁରରେ ଏହି ଦୁଇ ନେତାଙ୍କ  ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ଦଳପତି । ପ୍ରଚାର ପାଇଁ ନବୀନ ଏହି ଦୁଇ ନେତାଙ୍କୁ ବାଛିବା ପଛରେ ମଧ୍ୟ ବଡ କାରଣ ରହିଛି ।

ପ୍ରଥମତଃ ଚଳିତ ନିର୍ବାଚନରେ ଏହି ଦୁଇ ନେତାଙ୍କୁ ଟିକେଟ ମିଳିନଥିଲେ ମଧ୍ୟ ଏହି ପଦବୀରେ ବସାଇ ଦଳ ତାଙ୍କୁ ଗୁରୁତ୍ୱ ଦେଉଛି ବୋଲି ଏକ ବାର୍ତ୍ତା ଦେବାକୁ ଚାହୁଁଛି । ଏହାଛଡା ଏହି ଷ୍ଟ୍ରାଟେଜିରେ ବରଗଡ ଅଧିନରେ ଆସୁଥିବା ସମସ୍ତ ଆସନ ଦଖଲ କରିବାକୁ ଚାହୁଁଛି ଦଳ । ଗତଥର ବରଗଡରୁ ଦଳ ୭ଟି ଆସନରୁ ୩ଟି ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଚଳିତଥର ୭ରୁ ୭ ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ଯେହେତୁ ସୁପ୍ରିମୋ ନିଜେ ବରଗଡ ଅଧିନରେ ଆସୁଥିବା ବିଜେପୁର ଆସନରୁ ଲଢିବା ପାଇଁ ପାଦ ବଢାଇଛନ୍ତି ତେଣୁ ଏହା ଏବେ ବିଜେଡି ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି ।

ପୂର୍ବରୁ ବିଜେପୁର ଆସନ କଂଗ୍ରେସ ଦଖଲରେ ରହିଥିବା ବେଳେ ଗତବର୍ଷ ହୋଇଥିବା ଉପନିର୍ବାଚନରେ ପ୍ରଥମ ଥର ପାଇଁ ଏହି ଆସନ ହାତେଇଥିଲା ବିଜେଡି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଆସନରୁ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ବିଜୟ ବାନା ଉଡାଇଥିଲା ବିଜେଡି । ସେତେବେଳେ ରୀତାଙ୍କ ପାଇଁ ବିଜେପୁରବାସୀଙ୍କୁ ଭୋଟ ମାଗିଥିଲେ ନବୀନ । ପ୍ରଥମ ଥର ପାଇଁ ବିଜେପୁରରେ ରାତ୍ରୀଯାପନ କରିବା ସହ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିଲେ ନବୀନ । ଏପରିକି ବିଜେପୁରର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ ନବୀନ ।  ନବୀନଙ୍କ ଲୋକପ୍ରିୟତା ଓ ରୀତା ସାହୁଙ୍କ ଭୋଟବ୍ୟାଙ୍କ ବଳରେ ବିଜେଡି ଏଠାରେ ବିଜୟୀ ହୋଇଥିଲା ।

ଏସବୁ ଭିତରେ ଯେତେବେଳେ ୨୦୧୯ ନିର୍ବାଚନରେ ବିଜେପୁର ଆସନରେ ଲଢିବା ପାଇଁ ନବୀନ ନିଜେ ମୈଦାନକୁ ଓହ୍ଳାଇଛନ୍ତି ସେତେବେଳେ ରୀତାଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହାକୁ ନେଇ ଚର୍ଚ୍ଚା ହେଉଥିଲା । କାରଣ ସ୍ୱାମୀଙ୍କ ଦେହାନ୍ତ ପରେ ରୀତାଙ୍କ ଆଡକୁ ଢଳିଛି ସୁବଳଙ୍କ ସଙ୍ଗଠନ । ତେଣୁ ଏଠାରେ ରୀତାଙ୍କୁ ଗୁରୁଦାୟିତ୍ୱ ଦେଇ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ । ରୀତାଙ୍କ ମାଧ୍ୟମରେ ଏହି ଭୋଟବ୍ୟାଙ୍କ ହାତେଇବାକୁ ଷ୍ଟ୍ରାଟେଜି କରିଛି ବିଜେଡି ।

ଅନ୍ୟପଟରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦଳ ବିଜେପୁର ପାଇଁ ପ୍ରଚାର କମିଟିର ଅଧ୍ୟକ୍ଷ କରି ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରିଛି । କାରଣ ବ୍ରଜରାଜନଗରରୁ କିଶୋର ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ହୋଇଥିଲେ ଅନୁପ । ଏପରିକି ଅନୁପ ଓ କିଶୋରଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ହୋଇଥିଲା । ତେବେ ପୂର୍ବରୁ ବ୍ରଜରାଜନଗରରୁ ବିଧାୟକ ଥିବା ଅନୁପଙ୍କୁ ଅସନ୍ତୁଷ୍ଟ ନ କରି ଦଳ ତାଙ୍କୁ ନବୀନଙ୍କ ଆସନ ପାଇଁ ପ୍ରଚାର କମିଟିର ଅଧ୍ୟକ୍ଷ କରି ଗୁରୁଦାୟିତ୍ୱ ଦେଇଛି । ଯାହାଦ୍ୱାରା ବ୍ରଜରାଜନଗରରେ ଅନୁପ ଓ କିଶୋରଙ୍କ ମଧ୍ୟରେ ଯେଉଁ ଛକାପଞ୍ଝା ଲାଗି ରହିଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଛେଦ ପଡିଛି । ବିଜେପୁର ସହ ବିଜେପି ଦଖଲରେ ଥିବା ବ୍ରଜରାଜନଗରକୁ ମଧ୍ୟ ସବୁଜ ଗଡରେ ପରିଣତ କରିବାକୁ ରୀତା ଓ ଅନୁପଙ୍କୁ ବଡ ଦାୟିତ୍ୱ ଦେଇଛି ବିଜେଡି ।

ପୂର୍ବ ନିର୍ବାଚନ ଗୁଡିକରେ ଏହି ଦୁଇ ଆସନରେ ଅନୁପ ଓ ରୀତାଙ୍କ ପାଇଁ ଖୋଦ ବିଜେଡି ସୁପ୍ରିମୋ ନିଜେ ପ୍ରଚାର କରିଥିବା ବେଳେ ଏବେ ନବୀନଙ୍କ ପାଇଁ ଉଭୟ ନେତା ପ୍ରଚାରର ମଙ୍ଗ ଧରିବେ । ତେବେ ଏହା ଦଳ ଓ ବିଜେଡି ସୁପ୍ରିମୋଙ୍କ ପାଇଁ କେତେ ଫାଇଦା ଦେବ ତାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।