ଶୃଙ୍ଖଳିତ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି । ସବୁ ମଦ ଦୋକାନରେ ସିସିଟିଭି ଲଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ।

212

କନକ ବ୍ୟୁରୋ: ଚଳିତ ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ବାରା ବଲାଙ୍ଗୀର ଲୋକସଭାମଣ୍ଡଳୀ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଏନ.ଏସ.ପ୍ରସନ୍ନ କୁମାର ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦେବବ୍ରତ ରାୟ ଏବଂ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁରୁପ୍ରିତ ସିଂହ ଜିଲ୍ଲାର ବିଭିନ୍ନ ଟିମ ଗୁଡିକ ସହିତ ସର୍କିଟ ହାଉସରେ ଆଲୋଚନା କରିଛନ୍ତି ।

ସୂଚନା ମୁତାବକ, ଜିଲ୍ଲା ମଦ ଦୋକାନରେ ସିସିଟିଭି ଲାଗିଛି କି ନାହିଁ ତାହା ସୁନିଶ୍ଚିତ କରିବା ସହିତ କୌଣସି ମଦ ଦୋକାନରେ ଅଧିକ ମାତ୍ରାରେ ମଦ ବିକ୍ରି ହେଲେ ତାହା ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ଏପରିକି କୌଣସି ବ୍ୟକ୍ତି ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ତା ଆକାଣ୍ଟରୁ ଉଠାଏ କିମ୍ବା ଜମା କରେ ତେବେ ଏହି ସୂଚନା ବ୍ୟାଙ୍କ କର୍ତ୍ତୁପକ୍ଷ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦେବେ । ଏହାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଉକ୍ତ ଜିଲ୍ଲାର ଦାୟିତ୍ବରେ ଥିବା ଆୟକର ଅନୁସନ୍ଧାନ ନିର୍ଦ୍ଦେଶାଳୟର ନୋଡାଲ ଅଫିସରଙ୍କୁ ଉପରୋକ୍ତ ଅର୍ଥ କାରବାର ସମ୍ପର୍କରେ ସୂଚିତ କରିବେ ଏବଂ ନୋଡାଲା ଅଫିସର ଆୟକର ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି ।

ସେପଟେ ଗତକାଲି ବୀମହାରାଜପୁର ନିର୍ବାଚନମଣ୍ଡଳୀ ଏବଂ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ଇଭିଏମ ଓ ଭିଭିପେଟର ରାଣ୍ଡାମାଇଜେସନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ସମାପ୍ତ ହୋଇଥିଲା । ଏଥିରେ ଉଭୟ ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଫିସରଙ୍କ କାର୍ଯ୍ୟାଳୟରେ ସାଧାରଣ ପର୍ଯ୍ୟବେକ୍ଷକ ଏନ.ଏସ ପ୍ରସନ୍ନ କୁମାର, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପଣ୍ଡା ଉପସ୍ଥିତ ଥିଲେ।