ବଢୁଛି ମହିଳାଙ୍କ ପ୍ରତି ହିଂସା ! ୨୬ ପ୍ରତିଶତ ଯୌତୁକ ନିର୍ଯାତନା ଅଭିଯୋଗ, ଜିଲ୍ଲାସ୍ତରୀୟ କମିଟିରେ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

53

କନକ ବ୍ୟୁରୋ : ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢିବାରେ ଲାଗିଛି । ବର୍ଷ ୨୦୧୬ରେ ରେକର୍ଡ ହୋଇଥିବା ଅଭିଯୋଗ ମଧ୍ୟରୁ ୨୬ ପ୍ରତିଶତ ହେଉଛି ଯୌତୁକ ନିର୍ଯାତନା ମାମଲା । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ, ଏଭଳି ମାମଲାର ଶୁଣାଣି ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି । ନିର୍ଯାତନାର ସୀମା ଟପିବା ପରେ ଅନ୍ୟ ଉପାୟ ନପାଇ ନ୍ୟାୟ ପାଇଁ ଥାନାକୁ ଯାଏ ନାରୀ । ତେବେ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ରାୟ ପରେ ଦୋଷୀକୁ ଦଣ୍ଡଦେବା ପ୍ରକିୟା ଆହୁରି ବିଳମ୍ବ ହେବା ଆଶଙ୍କା ରହିଛି ।

ଅନସୁୟା ବାରିକ । ବୟସ ୨୭ ବର୍ଷ । ଘର-ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ଖଇର ପସି । ତିନି ବର୍ଷ ତଳେ ପାଣିଗେଙ୍ଗୁଟିଆର ଗଣେଶ୍ୱର ବାରିକଙ୍କ ହାତ ଧରିଥିଲେ ଅନସୁୟା । ବାହାଘର ବେଳେ ଯୌତୁକ ବାବଦରେ ୭୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଘରକରଣା ଜିନିଷ ଦିଆଯାଇଥିଲା । ହେଲେ ଅଧିକ ଯୌତୁକ ଦାବିରେ ଅନସୁୟାଙ୍କୁ ଶାଶୁଘର ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଲେ । ବାପଘର ସ୍ଥିତି ଭଲନଥିବାରୁ ମୁଣ୍ଡପୋତି ସବୁ ସହିନେଉଥିଲେ ଅନସୁୟା । ଆଉ ଦିନକୁ ଦିନ ବଢିଚାଲିଥିଲା ନିର୍ଯାତନା । ଶେଷରେ ବାଧ୍ୟ ହୋଇ ପ୍ରଥମେ ପୋଲିସ ଏବଂ ପରେ ମହିଳା ସହଯୋଗ କେନ୍ଦ୍ରର ସହାୟତା ଲୋଡିଥିଲେ ଅନସୁୟା । ପରେ ଶାଶୁଘର ବିରୋଧରେ କୋର୍ଟରେ ପହଁଚିଥିଲା ମାମଲା ।

ନାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ମହିଳାଙ୍କ ଉପରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ୨୦୧୪ରେ ମହିଳାଙ୍କ ପ୍ରତି ହିଂସା ନେଇ ୧୪୬୫୧ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ୧୭୨୦୦ ଏବଂ ୨୦୧୬ରେ ୧୭୮୩୭ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୨୬ ପ୍ରତିଶତ ହେଉଛି ଯୌତୁକ ନିର୍ଯାତନା ମାମଲା । ବର୍ଷ ୨୦୧୬ରେ ମୋଟ ୧୭୮୩୭ ଟିରୁ ୪୫୭୮ଟି ଯୋ÷÷ତୁକ ନିର୍ଯାତନା ମାମଲା ରୁଜୁ ହୋଇଛି । ତେବେ ଏଭଳି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିବା ହାର ବହୁତ କମ୍ । ତଦନ୍ତରେ ଅବହେଳା, ଅଭିଯୋଗକାରିଣୀଙ୍କୁ ଭୟଭୀତ କରାଯିବା ଏବଂ ସାମାଜିକ ଚାପ ଏହାର ଗୋଟିଏ ଗୋଟିଏ କାରଣ ।

ଅଧିକାଂଶ ସମୟରେ କୁହାଯାଏ, ମହିଳା ମାନେ ଜାଣିଶୁଣି ଆଇନ୍ର ଫାଇଦା ଉଠାଇଥାନ୍ତି । ନିକଟରେ ସୁପ୍ରିମକୋର୍ଟ ଏଭଳି ମାମଲାର ଶୁଣାଣି ପାଇଁ ଜିଲ୍ଲା ସ୍ତରରେ ଏକ ପରିବାର ମଙ୍ଗଳ କମିଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ବ୍ୟବସ୍ଥା ପାଖରେ ପହଁଚିବାକୁ ହେଲେ ମହିଳାଙ୍କୁ ବ୍ୟବସ୍ଥାର ଆଉ ଏକ ପର୍ଯ୍ୟାୟ ଦେଇ ଯିବାକୁ ପଡିବ । ଯାହା ମହିଳାଙ୍କୁ ନ୍ୟାୟ ଦେବାରେ ଆହୁରି ବିଳମ୍ବ କରିବ । ଏଣୁ ଉଚ୍ଚତମ ନ୍ୟାୟାଳୟର ଏହି ରାୟର ପୁନର୍ବିଚାର ଜରୁରୀ । ମହିଳାଙ୍କ ପ୍ରତି ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜ୍ର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫ ।