କାଲିଠାରୁ ରାଜ୍ୟରେ ଗଡିବ ସମସ୍ତ ବସ୍, ଟ୍ୟାକ୍ସି: ହେଲେ ବସରେ ଠିଆ ହୋଇ ଯାଇପାରିବେନି ଯାତ୍ରୀ; ଯାତ୍ରା ବେଳେ ସାନିଟାଇଜର ଏବଂ ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

୪ ଚକିଆ ବା ଅଟୋ ରିସ୍କାରେ ଡ୍ରାଇଭରକୁ ଛାଡି ଯାଇପାରିବେ ୨ ଜଣ ଯାତ୍ରୀ

3,923

କନକ ବ୍ୟୁରୋ: ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ଗଡିବ ସମସ୍ତ ବସ । ଆସନ୍ତା କାଲିଠାରୁ ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ । ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ଗାଡି ଚଳାଚଳ ନିବିଘ୍ନରେ ଚାଲିବ । ରାଜ୍ୟ ଭିତରେ ଯାତ୍ରୀବାହୀ ବସ ଚଳାଚଳ କରିବ । ସେହିଭଳି ସରକାରୀ ଗାଡି , ଓଲା, ଉବେର, ଦୁଇ ଚଳିଆ ଯାନ, ଅଟୋ ରିକ୍ସା ଭଳି ଗାଡି ୨୪ ଘଂଟା ଚାଲିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଏଥିରେ କୌଣସି ବାଧା ରହିବ ନାହିଁ ବୋଲି କହିଛନ୍ତି ସରକାର । କିନ୍ତୁ ୪ ଚକିଆ ବା ଅଟୋ ରିସ୍କାରେ ଡ୍ରାଇଭରକୁ ଛାଡି ୨ ଜଣ ଯାତ୍ରୀ ଯାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେହିଭଳି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲକୁ ଏବଂ ସହର ଭିତରେ ମଧ୍ୟ ସିଟି ବସ ଚଳାଚଳ ଆସନ୍ତା କାଲିଠାରୁ ଆରମ୍ଭ ହେବ । ତେବେ ବସରେ ଯାତ୍ରା କରିବା ସମୟରେ ଉଭୟ ଯାତ୍ରୀ ଏବଂ ଡ୍ରାଇଭରଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । ତେବେ ବସରେ ଯେତିକି ସିଟ୍ ରହଛି ତାହାଠାରୁ ଅଧିକ ଯାତ୍ରୀ ନେଇପାରିବେ ନାହିଁ ଡ୍ରାଇଭର । ଅର୍ଥାତ ବସରେ କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ଏହା ଉପରେ ରାଜ୍ୟର ପୁଲିସ୍ ବ୍ୟବସ୍ଥା ତିକ୍ଷିଣ ନଜର ରଖିବେ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କଡା ଚେତାବନୀ ଦେଇଛନ୍ତି ସରକାର ।

ସେହିଭଳି ଯାତ୍ରୀମାନେ ଗାଡିରେ ଯାତ୍ରା କରିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମୁହଁରେ ମାସ୍କ ପିନ୍ଧିବା ସହ ସାଥିରେ ସାନିଟାଇଜର ନେଇ ଯିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ବସରେ ଯାତ୍ରା କରିବା ସମୟରେ ଯଦି କୌଣସି ଯାତ୍ରୀଙ୍କଠାରେ କୋଭିଡ୧୯ର ଲକ୍ଷମ ଦେଖାଯାଏ ତେବେ ଏଭଳି ଯାତ୍ରୀଙ୍କୁ ବସରେ ନଉଠାଇବା ପାଇଁ ନିର୍ଦ୍ଦେଶ ଦେବା ସହ ତାଙ୍କ ସଂପର୍କରେ ସରକାରଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।