ସୁରତରେ ଖୋଲିଲା ୩୦% ସୂତାକଳ: ସହରତଳି ଅଂଚଳରେ ସୂତାକଳ ଖୋଲି କାମ ଆରମ୍ଭ; ଓଡିଆ ଶ୍ରମିକଙ୍କ ଘରବାହୁଡା ଉପରେ ଲାଗିପାରେ ରୋକ୍

448

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ସୁରତର ସୁତାକଳଗୁଡିକରେ ତାଲା ପଡିଛି । କରୋନାର ପ୍ରଭାବ ରହିଥିଲେ ବି ଆର୍ଥିକ ଅବସ୍ଥାକୁ ଦେଖି ସରକାର କଟକଣାକୁ ଅନେର ପରିମାଣରେ କୋହଳ କରିଛନ୍ତି । ଏହାପରେ ସୁରତରେ ପ୍ରାୟ ୩୦ ପ୍ରତିଶତ ସୂତାକଳ ଖୋଲିଛି । ଫଳରେ ଶ୍ରମିକମାନେ ନିଜର କର୍ମସଂସ୍ଥାନ ଫେରିପାଉଛନ୍ତି । ସୁରତର ସହରତଳି ଅଂଚଳରେ ୩୦ ପ୍ରତିଶତ ସୂତାକଳ ଖୋଲିଲାଣି । ଫଳରେ ସୁରତରେ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆଶାର ସଂଚାର ହୋଇଛି । ଏହାହେଲେ ସୁରତରୁ ଲୋକଙ୍କ ଫେରିବାରେ କିଛିଟା ରୋକ ଲାଗିବା ଆଶା କରାଯାଉଛି । ସୁରତରେ ସୂତାକଳ ଖୋଲିବା ଓଡିଶା ପାଇଁ ଶୁଭସଙ୍କେତ ବୋଲି କୁହାଯାଉଛି ।

ସେପଟେ, ଆଜି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଓଡିଶାକୁ ଆସିବ ୨୧ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ଏହି ଟ୍ରେନଗୁଡିକରେ ପ୍ରାୟ ୨୫ ହଜାର ପ୍ରବାସୀ ରାଜ୍ୟକୁ ଆସିବା ସମ୍ଭାବନା ରହିଛି । ଆଜି ତାମିଲନାଡୁର କୋଏମ୍ବାଟୁରରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଆସିବ । ଏଥିରୁ ଗୋଟିଏ ଟ୍ରେନ୍ ବଲାଙ୍ଗୀର ଯିବାକୁ ଥିବାବେଳେ ଅନ୍ୟଟି ଭଦ୍ରକ ଷ୍ଟେସନରେ ଅଟକିବ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ୫ଟି ଟ୍ରେନ୍ ଆସିବ । ଏଗୁଡିକ କଟକ, ବାଲେଶ୍ୱର, ଖୋର୍ଦ୍ଧା ରୋଡ, ଭଦ୍ରକ ଓ ନୂଆପଡା ରୋଡରେ ପହଁଚିବ ।

ତେଲେଙ୍ଗାନାର କାଜିପେଟଠାରୁ ଓଡିଶାକୁ ୩ଟି ଟ୍ରେନ୍ ଆସିବ । ଏଗୁଡିକ ବଲାଙ୍ଗୀର, ଅନୁଗୁଳ, ନୂଆପଡା ରୋଡରେ ଅଟକିବ । ମେହବୁବନଗରରୁ ଆସୁଥିବା ଟ୍ରେନ୍ ନୂଆପଡା ରୋଡରେ ଅଟକିବ । ବେଙ୍ଗାଲୁରରୁ ଗୋଟିଏ ଟ୍ରେନ୍ ଭୁବନେଶ୍ୱର ଆସିବ । ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର, ପୁନେରୁ ବାଲେଶ୍ୱର, ମହାରାଷ୍ଟ୍ରର ଭସାଇରୋଡରୁ ଖୋର୍ଦ୍ଧାରୋଡ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବଲାଙ୍ଗୀର, ମହାରାଷ୍ଟ୍ରର ବୋରିଭଲିରୁ ଗଞ୍ଜାମ, ଗୁଜୁରାଟର ଗାନ୍ଧିଧାମରୁ କଟକ ଜିଲ୍ଳାର ନିର୍ଗୁଣ୍ଡି, ଗୋଆର କର୍ମାଲିରୁ ଭବାନୀପାଟଣା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆସିବାର ଅଛି ।