ଆଜି ପବିତ୍ର ଅକ୍ଷୟ ତୃତୀୟା : ଆଜ୍ଞାମାଳ ପାଇବା ପରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

68

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ :ପବିତ୍ର ଅକ୍ଷୟ ତୃତୀୟାରେ ପୁରୀରେ ଅନୁକୂଳ ହୋଇଛି ରଥକାଠ । ରଥଖଳାରେ ରଥ କାଠ ଅନୁକୂଳ ପାଇଁ ଆଜ୍ଞାମାଳ ବିଜେ ହୋଇଥିଲା । ଏହାପରେ ରଥ ନିର୍ମାଣର ବିଦ୍ଧି ଆରମ୍ଭ ହୋଇଛି । ସେପଟେ ଆଜିଠୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେଉଛି ବଡ଼ ଠାକୁରଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଶୋଧନ ଓ ସଂସ୍କାର ସହ ନୂତନ ଡଙ୍ଗାକୁ ପ୍ରତିଷ୍ଠା କରାଯାଇଛି । ସେହିପରି ଦରଜି ସେବାୟତମାନେ ଠାକୁରଙ୍କ କନାର ଆସବାବପତ୍ର ମଧ୍ୟ ପ୍ରସ୍ତୁତ କରିଛନ୍ତି । ବିଧି ମୁତାବକ ନୂଆ କରି ନନ୍ଦା ଓ ଭଦ୍ରା ଡଙ୍ଗା ନିର୍ମାଣ ହୋଇଛି । ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଚନ୍ଦନ ଚପଡ଼ା, ବାଘପୁଲିସ ଓ ଚାପ ଖେଳିଥାନ୍ତି । ଶେଷରେ ଚନ୍ଦନକୁଣ୍ଡ ସ୍ନାନ ସାରି ଚନ୍ଦନଲେପ ଲଗାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିଥାନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସହ ପଂଚୁପାଣ୍ଡବ ବି ଚାପ ଖେଳିବାକୁ ଆସିଥାନ୍ତି । ସେଥିପାଇଁ ବଡ଼ଦାଣ୍ଡରେ ଭୋଇ ସେବକଙ୍କ ଦ୍ୱାରା ପନ୍ତି ଛାମୁଣ୍ଡିଆ ଓ ଚାଳି ନିର୍ମାଣ କରାଯାଇଛି ।