ମହାକାଶରେ ମହାଜାଗତିକ ଦୃଶ୍ୟ : ବୁଧ ପାଲଟିଲା ବିନ୍ଦୁ

111

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ । ସୂର୍ଯ୍ୟର ଫଳକ ଆଗରେ ଗତି କରୁଛି ବୁଧ । ଏହାକୁ କୁହାଯାଏ ବୁଧ ସଂଚାର । ଭାରତୀୟ ସମୟ ଅନୁସାରେ ସଂଧ୍ୟା ୪ଟା ୪୨ମିନିଟରୁ ଆରମ୍ଭ ହୋଇଥିବା ଏହି ସଂଚାର ରାତି ୧୨ଟା ୧୨ମିନିଟରେ ଶେଷ ହେବ । କିନ୍ତୁ ଓଡିଶାର ଆକାଶ ମେଘୁଆ ଥିବାରୁ ଆଜି ଏହା ଦେଖାଯାଇ ନାହିଁ । ତେବେ ନାସା ପକ୍ଷରୁ ଜାରି କରାଯାଇଛି ବୁଧ ସଂଚାରର ଦୃଶ୍ୟ ।

ଚଳିତ ଶତାବ୍ଦୀରେ ମୋଟ ୧୪ଟି ବୁଧ ସଂଚାର ଘଟିବ । ସେଥି ମଧ୍ୟରୁ ପୂର୍ବରୁ ୨ଟି ହୋଇସାରିଥିବା ବେଳେ ଆଜି ତୃତୀୟ ସଂଚାର । ଏହା ପର ବୁଧ ସଂଚାର ୨୦୧୯ ନଭେମ୍ବର ୧୧ରେ ଦୃଶ୍ୟମାନ ହେବ । ପ୍ରାୟ ୧୬ ବର୍ଷ ପରେ ୨୦୩୨ ନଭେମ୍ବର ୧୩ରେ ଘଟିବାକୁ ଥିବା ବୁଧ ସଂଚାର ଭାରତକୁ ସଂପୂର୍ଣ୍ଣ ଦେଖାଯିବ । ଖାଲି ଆଖିରେ ସୂର୍ଯ୍ୟ ଫଳକରେ ବୁଧର ଏହି ଗତି ଦେଖିବା ସହଜ ନୁହେଁ । ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିଅମରେ ଏହି ଜାଗତିକ ଦୃଶ୍ୟ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ସଂଧ୍ୟା ୫ଟାରୁ ୫ଟା ୪୫ ପର୍ଯ୍ୟନ୍ତ ଏହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା ପ୍ଲାନେଟାରିଅମ ଉପନିର୍ଦେଶକ ଇଂ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।