ବିମାନ କର୍ମଚାରୀଙ୍କ ଅବହେଳା ପାଇଁ ୪ ମାସ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ବାପା ଓ ମା : ଏପଟେ ଅଭିଯୋଗ ନେଇ ଥାନାରେ ଦାୟର କଲେ ମାମଲା

41

କନକ ବ୍ୟୁରୋ : ଭାରତର ପ୍ରତ୍ୟେକ ସମୟରେ ବିମାନରେ କିଛିଟା ବ୍ୟତିକ୍ରମ ହେଉଥିବା ନେଇ ଅନେକ ସମୟରେ ଯାତ୍ରୀମାନେ ଅଭିଯୋଗ କରନ୍ତି । ତେବେ ବିମାନ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ମଧ୍ୟ ହୋଇଛି ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କେତେବେଳେ ବିମାନରେ କର୍ମଚାରୀମାନେ ଗୀତନାଚ କରୁଛନ୍ତି ତ କେତେବେଳେ କର୍ମଚାରୀମାନେ ଯାତ୍ରୀମାନଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥାଏ । ତେବେ ଏପରି ଘଟଣା ସମ୍ପର୍କରେ ଜଣାପଡିବା ପରେ ଆରମ୍ଭ ହୁଏ ତଦନ୍ତ । କିନ୍ତୁ ଏହି ଘଟଣାଟି ବିମାନ ଭିତରେ ନୁହେଁ ବରଂ ବିମାନ ବନ୍ଦରରେ ଘଟିଛି । ତେବେ ମିଳିଥିବା ସୂଚନା ଅନୁସାରେ ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଗୋଟାଏ ୪ ମାସର ଛୋଟ ଛୁଆ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଯୋଗୁଁ ହାଇଦ୍ରାବାଦ ବିମାନ ବନ୍ଦରରେ ବୁଧବାର ଦିନ ପ୍ରାଣ ହରାଇଥିବା ଜଣାପଡିଛି ।

 

ତେବେ ଏହି ଘଟଣାରେ ଏୟାର୍ ଲାଇନ୍ ପକ୍ଷରୁ କୁହାଯାଇଛି କି, ବିମାନ କର୍ମଚାରୀମାନେ ୬ଇ୮୯୭ ବିମାନକୁ ହାଇଦ୍ରାବାଦକୁ ନେଇଯିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଗୋଟାଏ ଆମ୍ବୁଲାନ୍ସ୍ ଓ ଡାକ୍ତର ପାଇଁ ହାଇଦ୍ରାବାଦ ବିମାନ ବନ୍ଦରରେ ଅନୁରୋଧ କରାଯାଇଥିଲା। ହାଇଦ୍ରାବାଦରେ ଅବତରଣ କରିବା ପରେ ଛୋଟ ପିଲାଟିକୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାକୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ ବୋଲି ପୋଲିସ କହିଛି। ତେବେ ଏହା ଜଣାପଡିବା ପରେ ଛୋଟ ପିଲାର ମା ଓ ବାପା ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ତେବେ ମାମଲା ଥାନାରେ ରୁଜୁ ହେବାପରେ ସିଆରପିସି ସେକ୍ସନ୍ ୧୭୪ରେ ପୁଲିସ ଏକ ମାମଲା ରୁଜୁ କରିଛି। ତେବେ ପୋଲିସ କହିଛି ଯେ, ବିମାନରେ କର୍ମଚାରୀଙ୍କ ସମେତ ଜଣେ ଡାକ୍ତର ଛୁଆଟିର ଦେଖାଚାହାଁ କରିଥିଲେ। ବିମାନ ଅବତରଣ କରିବା ପରେ ଜଣେ ଇଣ୍ଡିଗୋ ଷ୍ଟାଫଙ୍କ ସହ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଦୁର୍ଭାଗ୍ୟ, ପିଲାଟି ବଞ୍ଚିଲା ନାହିଁ। ଶିଶୁଟିର ମୃତ୍ୟୁ ଯୋଗୁଁ ଏୟାରଲାଇନ ଶୋକ ପ୍ରକାଶ କରିଥିବା ଜଣାପଡିଛି । ତେବେ ଛୁଆର ବାପା ଓ ମା ବିମାନ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିବା ଜଣାପଡିଛି ।