ଅଗ୍ନି-୫ କ୍ଷେପଣାସ୍ତ୍ରର ପୁନଃପରୀକ୍ଷଣ: ଆଜି ଦିନ ୧୦ଟାରେ ଅବଦୁଲ କଲାମ ଦ୍ୱୀପରୁ ହେବ ଉତକ୍ଷେପଣ

32

କନକ ବ୍ୟୁରୋ : ଚୀନର ଅନ୍ତର୍ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡ଼ଙ୍ଗପେଙ୍ଗ-୫(କ)ର ଜବାବ ଦେବାକୁ ଭାରତ ଅଗ୍ନି-୫ କ୍ଷେପଣାସ୍ତ୍ର ଆଜି ପରୀକ୍ଷଣ କରିବ । ବଙ୍ଗୋପ ସାଗରକୂଳ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ନିକଟସ୍ଥ ମିଶାଇଲ ମ୍ୟାନ ଅବଦୁଲ କାଲାମ ଦ୍ୱୀପର ୪ନଂ ଲଂଚ ପ୍ୟାଡ଼ରୁ ଅଗ୍ନି-୫କୁ ଉତକ୍ଷେପଣ କରାଯିବ । ପାଗ ଅନୁକୂଳ ରହିଲେ ଆଜି ପୂର୍ବ ନିଦ୍ଧାରିତ ପୂର୍ବାହ୍ନ ୧୦ଟା ରୁ ୧୦.୧୦ ମିନିଟ୍ ସମୟରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ପରମାଣୁ କ୍ଷମତା ସଂପନ୍ନ ଏହି ବାଲାଷ୍ଟିକ୍ କ୍ଷେପଣାସ୍ତ୍ରର ଇଂଟର କଂଟିନେଟାଲ ବାଲାଷ୍ଟିକ ମିଶାଇଲ (ଆଇ.ସି.ବି.ଏମ. ) ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ।

ଅଗ୍ନି-୫ର ଲମ୍ବ-୧୭.୫ମିଟର,ମୋଟେଇ ୨ ମିଟର ହୋଇଥିବା ବେଳେ ଏହାର ଓଜନ ୫୦୦ଟନ୍ । ୧.୫ ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ୩ଷ୍ଟେଜ୍ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ମାରକ କ୍ଷମତା ୫୦୦୦ ରୁ ୮୦୦୦ କିଲୋମିଟର ଦୂର ପର୍ୟ୍ୟନ୍ତ ଶତୃପକ୍ଷର ଲକ୍ଷ୍ୟ ଭେଦ କରିପାରିବ । ପୂର୍ବରୁ ଅଗ୍ନି- ୫ ୨୦୧୨, ୨୦୧୩, ୨୦୧୪, ୨୦୧୫ ସଫଳ ହୋଇଥିଲା ବେଳେ ଆଜି ଏହାର ପୁନଃ ପରୀକ୍ଷଣ ପାଇଁ ପ୍ରସ୍ତୁତିକୁ ନେଇ ଦେଶବାସୀଙ୍କ ମନରେ ଅନେକ ଉତ୍କଣ୍ଠା । ଏହି ପରୀକ୍ଷଣ ସଫଳ ହେଲେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଅତିକ୍ରମ କରିବ ।