ଶକ୍ତିଶାଳୀ ଅଗ୍ନି-୫ର ପରୀକ୍ଷଣ ସଫଳ । ଲକ୍ଷ୍ୟଭେଦି କ୍ଷମତା ୫ହଜାରରୁ୮ହଜାର କିଲୋମିଟର । ଚୀନର ଯେକୌଣସି  ସ୍ଥାନକୁୁ କରିପାରିବ ଟାର୍ଗେଟ 

70

କନକ ବ୍ୟୁରୋ  : ଶକ୍ତିଶାଳୀ  ଅଗ୍ନି-୫ର ପରୀକ୍ଷଣ ସଫଳ । ଆଜି  ସକାଳ ପୂର୍ବାହ୍ନ ୯.୫୩ ମିନିଟରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ବଙ୍ଗୋପସାଗର ପୂର୍ବ ଉପକୂଳସ୍ଥ ଅବଦୁଲ କାଲାମ ଦ୍ୱୀପର ୪ନମ୍ବର ଲଂଚପ୍ୟାଡ଼ରୁ ଶକ୍ତିଶାଳୀ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଚୀନର ଅନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)କୁ ଟକ୍କର ଦେବାକୁ ଭାରତ ଅଗ୍ନି-୫କୁ ପ୍ରସ୍ତୁତ କରିଛି।

ପରମାଣୁ କ୍ଷମତା ସଂପନ୍ନ ଏହି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଅଗ୍ନି-୫ର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଓ ଏହାର ଓଜନ ୫୦ ଟନ୍। ଏହି କ୍ଷେପଣାସ୍ତ୍ରରେ ୧.୫ ଟନ୍ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତିନି ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ଅଗ୍ନି-୫ର କ୍ଷମତା ୫୦୦୦ ରୁ ୮୦୦୦ କିଲୋମିଟର। ପୂର୍ବରୁ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ଅଗ୍ନି- ୫ର ପରୀକ୍ଷା ସଫଳ ହୋଇଥିଲା।

୨୦୧୦ ଡିସେମ୍ବର ୧୦ରେ ଅଗ୍ନି ସିରିଜର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା। ୨୦୧୧ ନଭେମ୍ବର ୧୫ରେ ଅଗ୍ନି-୨, ୨୦୧୨ ସେପ୍ଟେମ୍ବର ୧୯ରେ ଅଗ୍ନି-୩, ୨୦୧୪ ଜାନୁଆରି ୨୦ରେ ଅଗ୍ନି-୪ର ପରୀକ୍ଷା ସଫଳ ହୋଇଥିଲା। ଶେଷ ଥର ପାଇଁ ଡିସେମ୍ବର ୨୬, ୨୦୧୬ରେ ଅଗ୍ନି ୫ର ସଫଳ ପରୀକ୍ଷଣ କରାଯାଇଥିଲା।