ପୁଣି ଫେରିଲା ବାର୍ଡ ଫ୍ଲୁ ଆତଙ୍କ ! ପାରାଦୀପରେ କୁକୁଡାଙ୍କ ଠାରେ ମିଳିଲା ବାର୍ଡ ଫ୍ଲୁ ଭୂତାଣୁ, ଆରମ୍ଭ ହେଲା କୁକୁଡା ମରା ଅଭିଯାନ

31

କନକ ବ୍ୟୁରୋ: ପୁଣି ଫେରିଛି ବାର୍ଡ ଫ୍ଲୁ । ପାରାଦୀପ ବଡପଡିଆ ଓ ଷଣ୍ଢକୁଦରେ ବାର୍ଡଫ୍ଲୁ ଭୂତାଣୁ ମିଳିଛି । ଭୋପାଲ ସେଂଟ୍ରାଲ ଇନଷ୍ଟିଚ୍ୟୁଟକୁ ପଠାଯାଇଥିବା ନମୂନା ଭିତରେ ୨ଟି କୁକୁଡାଙ୍କ ଠାରେ ଏହି ଭୂତାଣୁ ଠାବ ହୋଇଛି । ତେବେ ପରିସ୍ଥିତି ଅନୁଧ୍ୟାନ ପାଇଁ ପାରାଦୀପକୁ ୬ଟି ଟିମ୍ ଯାଇଛନ୍ତି ।

ଅନ୍ୟପଟେ ପାରାଦୀପ ଅଂଚଳରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ ହଜାର କୁକୁଡା ମାରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ବିଶାଳ ଗଗନ ସୂଚନା ଦେଇଛନ୍ତି । ଏହା ଛଡା ତିନି ମାସ ପାଇଁ ପାରାଦୀପକୁ କୁକୁଡା ଓ ବତକ ଯୋଗାଣ ବନ୍ଦ କରାଯିବା ନେଇ ନିଷ୍ପତି ହୋଇଛି ।

ବିଦେଶାଗତ ପକ୍ଷୀଙ୍କ ଠାରୁ ଏହି ଭୂତାଣୁ ସ୍ଥାନୀୟ ଅଂଚଳରେ ସଂକ୍ରମଣ ହୋଇଥିବା କୁହାଯାଉଛି । ଅନ୍ୟପଟେ ସଂକ୍ରମଣ ଅଂଚଳର ଏକ କିଲୋମିଟର ବ୍ୟାସାର୍ଧ ମଧ୍ୟରେ କୁକୁଡା, ବତକ, ମାଂସ ଓ ଅଣ୍ଡା ବିକ୍ରି କରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।