ଭଦ୍ରକରେ ନୂତନ ମେଡିକାଲ ସ୍ଥାପନ ହେବ ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ପରେ କହିଲେ, ଶିଶୁ ଡାକ୍ତରଖାନା ସମ୍ପ୍ରସାରଣ ପାଇଁ ହୋଇଛି ନିଷ୍ପତି ।

342

କନକ ବ୍ୟୁରୋ: ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ଘୋଷଣା ପ୍ରସଙ୍ଗ । ଘଣ୍ଟାଏ ଭିତରେ ବଦଳିଗଲା ସରକାରୀ ବିଜ୍ଞପ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଲେ, ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଚାର ଚାଲିଛି । ଭଦ୍ରକର ଚାଇଲ୍ଡ ହସ୍ପିଟାଲ ସମ୍ପ୍ରସାରଣ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଆଉ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବ । ହସ୍ପିଟାଲ ଚାରିପାଖେ ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତି ନିଆଯାଇଥିବା ପୁଣି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଅନ୍ୟପଟେ ଘଣ୍ଟାଏ ପୂର୍ବରୁ ସରକାରୀ ସ୍ତରରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ କରିବାକୁ ନିଷ୍ପତି ନେଇଛନ୍ତି ସରକାର ବୋଲି କୁହାଯାଇଥିଲା । ଏପରିକି ପ୍ରସ୍ତାବିତ ମେଡ଼ିକାଲ କଲେଜ୍ ପାଇଁ ପାଇଁ ୨୫ ଏକର ଜାଗା ଚିହ୍ନଟ ସରିଛି ଏବଂ ଗ୍ରାଉଣ୍ଡ ଫ୍ଲୋର ସହ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ । ଯାହାର ନିର୍ମାଣ କାର୍ଯ୍ୟ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ଆରମ୍ଭ ହେବ ବୈଠକରେ ନିଷ୍ପତି ହୋଇଥିଲା । ହେଲେ ହଠାତ୍ ଘଣ୍ଟାଏ ପରେ ପୁର୍ନବାର ଏନେଇ ସରକାରଙ୍କ ବିଜ୍ଞପ୍ତିରେ ମେଡିକାଲ କଲେଜ କଥା ଫେରାଇ ନିଆଯାଇଥିବା ଦେଖିବାକୁ ମିଳୁଛି ।

ସବୁଠାରୁ ବଡ଼କଥା ହେଲା, ପରବର୍ତ୍ତୀ ବିଜ୍ଞପ୍ତିରେ କୁହାଯାଇଛି କି, ଭଦ୍ରକରେ ଏକ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ ଜିଲ୍ଲାର ବିଧାୟକମାନେ ଅନୁରୋଧ କରିଥିଲେ । ଏହାକୁ ସହୃଦୟତାର ସହ ବିଚାର ଓ ଅନୁଧ୍ୟାନ କରିବା ପାଇଁ ମତ ରଖିଛନ୍ତି ମନ୍ତ୍ରୀ । ତେବେ ଘଣ୍ଟାଏ ପୂର୍ବେ ଯେଉଁ ଖବର ପାଇ ଭଦ୍ରକ ଜିଲ୍ଲାବାସୀ ଖୁସି ହୋଇଥିଲେ ଏବେ ପୁଣି ଏକ ବିଜ୍ଞପ୍ତି ସେମାନଙ୍କୁ ଦ୍ୱନ୍ଦରେ ପକାଇଛି ।