ଯନ୍ତ୍ରଣା ଦେବ ଜଳ । ରାଜ୍ୟରେ ମାଟି ତଳୁ ଖସୁଛି ପାଣି, ସଙ୍କଟଜନକ ସ୍ଥିତିରେ ଗାଁ ଓ ସହରର ସ୍ଥିତି । ତାଲିକାରେ ଆପଣଙ୍କ ଜିଲ୍ଲା ନାହିଁ ତ?

700

କନକ ବ୍ୟୁରୋ : ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏ ଉକ୍ତିର ଯର୍ଥାଥତା ଏବେ ସାମ୍ନାକୁ ଆସିଛି । ରାଜ୍ୟରେ କମି କମି ଯାଉଛି ମାଟି ତଳ ପାଣି । ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ସହରର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । କେବଳ ସହର ନୁହେଁ ଗାଁ ରେ ମଧ୍ୟ ଭୂତଳ ଜଳ ସ୍ତର ସଂକଟଜନକ ହେବାରେ ଲାଗିଛି । ବିଧାନସଭାରେ ସରକାର ତଥ୍ୟ ରଖି କହିଛନ୍ତି ଯେ ୫ଟି ବ୍ଳକରେ ସ୍ଥିତି ଅସମ୍ଭାଳ । ୭୦ରୁ ୯୦ ପ୍ରତିଶତ ଭୂତଳ ଜଳ ବ୍ୟବହାର ହେଉଛି । ଫଳରେ କୂଅ, ପୋଖରୀର ଜଳ ଶୁଖିଯାଉଛି, ନଳକୂଅରୁ ପାଣି ବାହାରିବା ମୁସ୍କିଲ ହେବାରେ ଲାଗିଛି । ୪୪ଟି ବ୍ଳକରେ ସ୍ଥିତି ଉଦବେଗଜନକ ଆଡକୁ ମୁହାଁଉଛି ।

ଚିନ୍ତା ବଢ଼ାଇଲା ରାଜ୍ୟରେ ଭୂତଳ ଜଳ ସ୍ଥିତି । ବିଧାନସଭାରେ ସରକାର ଯେଉଁ ତଥ୍ୟ ରଖିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେବ । ୨୦୧୭ ଭୂତଳ ଜଳ ଆକଳନ ଅନୁସାରେ ୫ଟି ବ୍ଲକର ସ୍ଥିତି ଅସମ୍ଭାଳ । ସେଗୁଡିକ ହେଲା ବାଲେଶ୍ୱରର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର, ଖୋର୍ଦ୍ଧାର ବୋଲଗଡ ।

୫ଟି ବ୍ଳକରେ ମୋଟ ଗଚ୍ଛିତ ଭୂତଳ ଜଳର ୭୦ରୁ ୯୦ ଭାଗ ବ୍ୟବହୃତ ହେଉଛି । ୬୦ ପ୍ରତିଶତରୁ ଅଧିକ ଜଳ ବ୍ୟବହାର ହୋଇଥିବାରୁ ସାଂଘାତିକ ଭାବେ କମି କମିଯାଉଛି ଜଳସ୍ତର । କେବଳ ସେତିକି ନୁହେଁ, ରାଜ୍ୟର ୪୪ଟି ବ୍ଳକର ସ୍ଥିତି ସଂକଟଜନକ ଆଡକୁ ଅଗ୍ରସର ହେଉଛି । ୪୪ଟି ବ୍ଲକରେ ୬୦ରୁ ୭୦ ପ୍ରତିଶତ ଜଳ ବ୍ୟବହାର କରାଯାଉଛି । ସେହି ବ୍ଳକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ ସଦର, ଜଗତସିଂହପୁର, ଢ଼େଙ୍କାନାଳ ସଦର, କେନ୍ଦ୍ରାପଡ଼ା, ଗଂଜାମ, ଭଦ୍ରକ, ଯାଜପୁର, ଯୋଡ଼ା, ସୋନପୁର ଓ ବରଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳ ।

ସେହିପରି ୨୭ଟି ସହର ସ୍ଥିତି ସଂଗୀନ । ଭୁବନେଶ୍ୱର, ତାଳଚେର, ବରଗଡ଼, ପୁରୀ, ବାରିପଦା, ସମ୍ବଲପୁର, ବ୍ରହ୍ମପୁର, ଝାସୁଗୁଡ଼ା, ରାଉରକେଲା, ବଲାଙ୍ଗୀର ଆଦି ସହରରେ କମି କମି ଯାଉଛି ମାଟି ତଳ ପାଣି । ୨୫୯ଟି ବ୍ଳକରେ ଭୂତଳ ଜଳ ବ୍ୟବହାର ୬୦ ପ୍ରତିଶତରୁ କମ ବ୍ୟବହାର କରାଯାଉଥିବାରୁ ଅପେକ୍ଷାକୃତ ସୁରକ୍ଷିତ ସ୍ଥିତିରେ ରହିଛି । ତେବେ ୬ଟି ବ୍ଳକରେ ମାଟି ତଳ ପାଣି ଲବଣାକ୍ତ ହୋଇଥିବାରୁ ତାହା ପାନୀୟ ଉପଯୁକ୍ତ ନୁହେଁ ବୋଲି ତଥ୍ୟ ରଖିଛନ୍ତି ସରକାର ।