ତିନି ମାସ ଅପେକ୍ଷା ପରେ ଏଟିଏମରୁ ମିଳିବ ୨୦୦ ଟଙ୍କିଆ ନୋଟ୍‌ !

44

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ନୂଆ ୨୦୦ ଟଙ୍କିଆ ପ୍ରଚଳନ କରାଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ଏହା ସହଜରେ ପହଞ୍ଚି ପାରୁନାହିଁ । କାରଣ ଏହି ନୋଟ୍‌ ଏଟିଏମରେ ଉପଲବ୍ଧ ହେଉନାହିଁ । ଏଟିଏମ୍‌ରୁ ୨୦୦ ଟଙ୍କିଆ ନୋଟ୍‌ ବାହାରିବା ପାଇଁ ଆହୁରି ତିନି ମାସ ଅପେକ୍ଷା କରିବାକୁ ପଡ଼ିବ । ଏଟିଏମ୍‌ ଗୁଡ଼ିକୁ ଏହି ନୋଟ୍‌ ପାଇଁ ରିକାଲିବ୍ରେସନ୍‌ କରିବାକୁ ପଡ଼ିବ ଯାହା ଏକ ଜଟିଳ ବ୍ୟାପାର ।

ବିମୁଦ୍ରାକରଣ ସମୟରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ପାଇଁ ଏଟିଏମ୍‌ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ରିକାଲିବ୍ରେସନ୍‌ କରାଯାଇଥିଲା । ୨୦୦ ଟଙ୍କିଆ ପାଇଁ ପରୀକ୍ଷାମୂଳକ ଭାବେ ଏଟିଏମ୍‌ ଗୁଡ଼ିକୁ ରିକାଲିବ୍ରେସନ୍‌ କରିବାକୁ କେତେକ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ କଂପାନିଗୁଡ଼ିକୁ କୁହାଯାଇଛି । ମାତ୍ର ଏ ପର୍ଯ୍ୟନ୍ତ ଏଟିଏମ୍‌ ପରିଚାଳନା କରୁଥିବା କଂପାନିଗୁଡ଼ିକୁ ୨୦୦ ଟଙ୍କିଆ ଯୋଗାଣ ଆରମ୍ଭ କରାଯାଇନାହିଁ । ୨୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବା ଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ନୋଟ୍‌ର ଯୋଗାଣ ଖୁବଶୀଘ୍ର ବୃଦ୍ଧି କରାଯିବ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ସେଥିପାଇଁ ପ୍ରଦାନ କରାଯାଇନଥିଲା । ୨୦୦ ଟଙ୍କିଆ ପାଇଁ ଏଟିଏମ୍‌ ଗୁଡ଼ିକର ରିକାଲିବ୍ରେସନ୍‌ କରିବା ନିମନ୍ତେ ଏଟିଏମ୍‌ ନିର୍ମାଣ କରୁଥିବା କଂପାନି ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

ଦେଶରେ ୬୦,୦୦୦ ଏଟିଏମ୍‌ ସ୍ଥାପନ କରିଥିବା କଂପାନି ‘ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ୍‌’ର ସିଏମ୍‌ଡି ରବି ବି ଗୋୟଲ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ବିନା ୨୦୦ ଟଙ୍କିଆ ପାଇଁ ଏଟିଏମ୍‌ ଗୁଡ଼ିକର ରିକାଲିବ୍ରେସନ୍‌ କରାଯାଇପାରିବ ନାହିଁ । ସେ କହିଛନ୍ତି. ପ୍ରଥମେ ଆମ ପାଖରେ ୨୦୦ ଟଙ୍କିଆ ନୋଟ୍‌ ପହଞ୍ଚିବା ଦରକାର । ସେହି ନୋଟ୍‌ର ଆକାର ଅନୁଯାୟୀ ଆମେ ଏଟିଏମ୍‌ରେ ରଖାଯାଉଥିବା କ୍ୟାସେଟ୍‌ ପ୍ରସ୍ତୁତ କରିବୁ । ଏହା ପରେ ଏଟିଏମ୍‌କୁ ପରୀକ୍ଷା କରିବୁ । କ୍ୟାସେଟ୍‌କୁ ପୂର୍ଣ୍ଣ କ୍ଷମତାରେ ଉପଯୋଗ କରିବା ପାଇଁ ଆମକୁ ଆବଶ୍ୟକ ପରିମାଣର ନୋଟ୍‌ ମିଳିବା ଦରକାର ବୋଲି ସେ କହିଛନ୍ତି । ରିକାଲିବ୍ରେସନ୍‌ ପାଇଁ ୯୦ ଦିନ ସମୟ ଦରକାର । ଏଟିଏମ୍‌ର ରିକାଲିବ୍ରେସନ୍‌ ଚାଲିଥିବା ବେଳେ ମଧ୍ୟ ତାହା ଠିକ୍‌ ଭାବେ କାମ କରିବ । ଲୋକମାନେ ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ଉଠାଇ ପାରିବେ ବୋଲି ସେ କହିଛନ୍ତି ।