ଗୁରୁପ୍ରିୟା ସେତୁ ଲୋକାର୍ପଣକୁ ପୂରିଲା ୩ ମାସ ! ଏବେବି ନଦୀ ପାର ପାଇଁ ଭରସା ମୋଟର ଲଞ୍ଚ , ଅଧାରେ ଅଟକିଛି ସ୍ୱାଭିମାନ ଅଞ୍ଚଳର ବିକାଶର ଧାରା

63

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ଲୋକାର୍ପଣକୁ ତିନି ମାସ ବିତିଛି । ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ମାଓ ଗଡରେ ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁର ଉଦଘାଟନ କରି ବିଚ୍ଛିନ୍ନାଂଚଳର ନାଁ ପରିବର୍ତନ କରି ସ୍ୱାଭିମାନ ଅଂଚଳରେ ନାମିତ କରିଥିଲେ । ଆଉ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ତେବେ ଏହି ତିନି ମାସ ଭିତରେ ସ୍ୱାଭିମାନ ଅଂଚଳରେ କଣ ସବୁ ପରିବର୍ତନ ଘଟିଛି, ଗୁରୁପ୍ରିୟା ସେତୁ କେତେ ଲୋକଙ୍କ ଜୀବନ ଧାରଣକୁ ପ୍ରଭାବିତ କରିଛି, ତାହାର ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ ଟିମ ।

gurupriya setuଗୁରୁପ୍ରିୟା ସେତୁକୁ ବର୍ତମାନର ସ୍ୱାଭିମାନ ଅଂଚଳବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଦେଶ୍ୟ ଥିଲା ବାହ୍ୟଜଗତରୁ ବିଚ୍ଛିନ୍ନ ବୁଡି ଅଂଚଳର ୯ଟି ପଂଚାୟତକୁ ଯୋଗାଯୋଗ ସ୍ଥାପନ କରିବା । ୧୫୨ଟି ଗାଁରେ ସରକାରୀ ସୁବିଧା ସୁଯୋଗ ପହଂଚାଇବା । ହେଲେ ସେତୁ ଉଦଘାଟନକୁ ୩ ମାସ ସମୟ ବିତିଯାଇଥିଲେ ହେଁ ଏବେ ବି ଲକ୍ଷ୍ୟ ଠାରୁ ବହୁ ଦୁରରେ ଗୁରୁପ୍ରିୟା ସେତୁ । ଆଜି ବି ମୋଟର ଲଂଚ ଉପରେ ନିର୍ଭର କରୁଛନ୍ତି ୬ଟି ପଂଚୟାତର ଲୋକେ । କାରଣ ଗୁରୁପ୍ରିୟା ସେତୁ ସଂମଗ୍ର ବୁଡି ଅଂଚଳକୁ ସଂଯୋଗ କରିପାରୁନାହିଁ ।

କେବଳ ବଡପଡା ଓ ପାପେରମେଟଲା ପଂଚାୟତର କିଛି ଅଂଶ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରୁଛି ଗୁରୁପ୍ରିୟା ସେତୁ । ଯନ୍ତାପାଇ ନାଳ ଉପରେ ଝୁଲା ପୋଲ ହୋଇନଥିବାରୁ ଆଗକୁ ବଢିପାରୁନାହିଁ ବିକାଶ । ଏବେ ବି ଗୁରୁପ୍ରିୟା ଓ ଯନ୍ତାପାଇ ଦେଇ ଯୋଡାମ୍ବ, ପଣସପୁ. ଅଣ୍ଡ୍ରାପାଲି, ଗାଜଲମାମୁଡି ଓ ଯନ୍ତ୍ରୀକୁ ରାସ୍ତା ନଥିବାରୁ ସ୍ପିଲୱେ ଘାଟରେ ଦୁଇ ଦିନର ଅପେକ୍ଷା ପରେ ମିଳୁଛି ଲଂଚ ସେବା । କାରଣ ଦିନେ ଛାଡି ଦିନେ ଯାତାୟତ କରୁଛି ମୋଟର ଲଂଚ ।

gurupriya setuଗୁରୁପ୍ରିୟା ସେତୁର ଉଦଘାଟନ ସହ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଲକ୍ଷ୍ୟ ଥିଲା ସ୍ୱାଭିମାନ ଅଞ୍ଚଳରେ :

୧୦୦ରୁ ଅଧିକ ନଳକୂଅ ବସିବ
୨୦୦୦ ମତ୍ସ୍ୟଜୀବୀଙ୍କୁ ୫କୋଟିର ମାଛ ଜାଆଁଳ ଦିଆଯିବ
ଚାଷୀଙ୍କ ପାଇଁ ପଶୁ ସମ୍ପଦର ବ୍ୟବସ୍ଥା କରାଯିବ
ଯୋଗାଯୋଗ କ୍ଷେତ୍ରରେ ୨ଟି ପ୍ରମୁଖ ରାସ୍ତା ନିର୍ମାଣ ହେବ
ବିଦ୍ୟୁତ୍କରଣ ଲାଗି ୩୩ କେ.ଭି ସବଷ୍ଟେସନ ବସିବ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ସ୍ୱାସ୍ଥ୍ୟକେନ୍ଦ୍ର କରାଯିବ
ଏହାଛଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଖୁବଶୀଘ୍ର ୩୨ଟି ଭିନ୍ନ ରାସ୍ତା ନିର୍ମାଣ ହେବ ବୋଲି ସୁଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ ।

କ’ଣ ହୋଇଛି, କ’ଣ ହୋଇନାହିଁ..
୩ ମାସ ଭିତରେ କେବଳ ୪ଟି ନଳକୁପ ଖୋଳିଛି ଗ୍ରାମ୍ୟ ଉନ୍ନୟନ ବିଭାଗ
ଏଯାଏଁ ଜଣେ ହେଲେ ଚାଷୀଙ୍କୁ ମାଛ ଜାଆଁଳ ଦିଆଯାଇନାହିଁ
ଗୃହପାଳିତ ପଶୁ ଯୋଗାଇ ଦିଆଯାଇନାହିଁ
ରାସ୍ତା ଓ ବିଦ୍ୟୁତ ସବ୍ଷ୍ଟେସନ ସ୍ଥାପନ ସର୍ଭେରେ ହିଁ ଅଟକି ରହିଛି

ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଯନ୍ତାପାଇ ଠାରେ ଗୋଟିଏ ନୁତନ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହୋଇଛି ସତ ହେଲେ ଆଜି ବି ସ୍ୱାଭିମାନ ଅଂଚଳର ୮୦ ଭାଗ ସ୍ଥାନକୁ ନିଜ ମୁକ୍ତାଞ୍ଚଳ ଭାବେ ବ୍ୟବହାର କରୁଛି ଲାଲବାହୀନି ।