ସରିଲା ୧୫ ଦିନର ପରିକ୍ରମା ! ଶିଶୁ ଯୌନ ନିର୍ଯାତନା ରୋକିବା ନେଇ ରାଜ୍ୟବ୍ୟାପୀ ଗଡିଥିଲା ପରୀ ଏକ୍ସପ୍ରେସ ।

72

ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନାକୁ ରୋକିବାକୁ ଓଡିଶା ପୋଲିସ କରିଥିଲା ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ । ସମାଜରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଓଡିଶା ପୋଲିସର ଅଭିନବ ପ୍ରୟାସ ଜରିଆରେ ରାଜ୍ୟରେ ୧୫ ଦିନ ଧରି ଗଡିଥିଲା ପରୀ ଏକ୍ସପ୍ରେସ । ଗାଁ ଗାଁ ବୁଲି ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ କରି ଲୋକଙ୍କ ଭିତରେ ଶିଶୁ ଯୌନ ନିର୍ଯାତନା ରୋକିବା ପାଇଁ ସଚେତନ ବାର୍ତ୍ତ ଦେବା ପାଇଁ ପ୍ରୟାସ କରାଯାଇଥିଲା । କେବଳ ପ୍ରଚାର ନୁହେଁ ଲିଫଲେଟ, ପାମ୍ପଲେଟ, ପୋଷ୍ଟର ସହ ସଂଗୀତ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଛି । ରାଜ୍ୟରେ କୁନି କୁନି ଝିଅମାନେ କିଭଳି ଯୌନ ପୀପାସୁଙ୍କ ଠାରୁ ସୁରକ୍ଷିତ ରହି ବଡ ହେବେ ସେନେଇ ଗାଁ ଗାଁରେ ଗଡିଥିଲା ପରୀ ଏକ୍ସେପ୍ରେସ ।

ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରୀ ଏକ୍ସେପ୍ରେସର ଉଦଘାଟନ କରିଥିଲେ । ଶୁଭାରମ୍ଭ ପରେ ଏଜି ଛକସ୍ଥିତ ଟ୍ରାଫିକ ଥାନା ଠାରୁ ଦୁଇଟି ପରୀ ରଥ କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଭଳି ଜିଲ୍ଲା ପରିକ୍ରମା କରିଥିଲା । ଏହାପରେ ପରେ ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳକୁ ବୁଲି ସେଠାରେ ଲୋକମାନଙ୍କୁ ସଚେତନ କରାଇଥିଲା ପରୀ ରଥ । ତେବେ ଏହି ଅଭିଯାନରେ ଜିଲ୍ଲାର ନୋଡାଲ ଅଫିସର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପରିକ୍ରମା କାର୍ଯ୍ୟକୁ ସୁସମ୍ପାଦିତ କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୧୫ ଦିନ ଧରି କିଭଳି ଶିଶୁଙ୍କ ଉପରେ ହେଉଥିବା ଯୌନ ବେଭିଚାରକୁ ରୋକାଯାଇ ପାରିବ ସେନେଇ ଭିନ୍ନ ଭିନ୍ନ ଜରିଆରେ ସଚେତନ କରାଇବା ପାଇଁ ପ୍ରୟାସ କରିଥିଲା ଓଡିଶା ପୋଲିସ ।

୨୦୧୮ ମେ ୧୮ ତାରିଖରେ ୬ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ୬ଟି ମାମଲା ଓଡିଶା ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା । ପ୍ରକୃତରେ ଏଭଳି ଘୃଣ୍ୟ ମାନସିକତା ରଖୁଥିବା ସଇତାନଙ୍କୁ ସହଜରେ ଚିହ୍ନି ପାରିବା କଷ୍ଟକର । କିନ୍ତୁ ନିଜ କୋମଳମତି ଶିଶୁକୁ ସୁରକ୍ଷିତ କେଉଁଭଳି ରଖିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମ ଆୟୋଜନ କରି କିଛି ମାତ୍ରାରେ ସଫଳତା ହାସଲ କରିଛି ଓଡିଶା ପୋଲିସ ବୋଲି ଏହି ସଚେତନତା ଅଭିଯାନରୁ ଜଣାପଡିଛି । ଉଦଯାପନୀ ଅବସରରେ ୟୁନିସେଫ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଡକ୍ଟର ୟାସମିନ ଅଲୀ ହକ୍ କହିଛନ୍ତି ଯେ ଯେଉଁଭଳି ଭାବେ ଦେଶର ଏକ ବଡ ସମସ୍ୟାଭାବେ ଶିଶୁ ଯୌନ ନିର୍ଯାତନା ଦେଖାଦେଇଛି ତାହାକୁ ରୋକିବା ପାଇଁ ଓଡିଶା ପୋଲିସ ଓ ରାଜ୍ୟ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି । ଏବଂ ଏହି ପରୀ ଅଭିଯାନ ଦ୍ୱାରା ୧୫ ଦିନର ରିପୋର୍ଟ ଦର୍ଶାଉଛି ଯେ ଓଡିଶା ପୋଲିସର ପ୍ରୟାସ ସଫଳ ହୋଇଛି ବୋଲି ୟାସମିନ କହିଛନ୍ତି ।

ସେହିପରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ପୋଲିସ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଡିଜି କହିଛନ୍ତି ଯେ, ଏହି ୧୫ ଦିନର ଅଭିଯାନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ପରୀ ରଥ କାର୍ଯ୍ୟକ୍ରମକୁ ପଡୋଶୀ ରାଜ୍ୟମାନେ ଅନୁକରଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ପର୍ଯ୍ୟାୟକ୍ରମେ ଜୁନ୍ ୭ ତାରିଖରେ ମିନି ମରାଥନ, ୯ ତାରିଖରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଲୋକମାନେ ମଧ୍ୟ ଏହାକୁ ସଫଳ କରାଇବା ପାଇ ସହଯୋଗର ହାତ ବଢ଼ାଇଛନ୍ତି । ତେଣୁ ରାଜ୍ୟର ସମସ୍ତ ସ୍ୱଚ୍ଛାସେବୀ ସଂଗଠନ, ସମାଜକର୍ମୀ, ଆଶା କର୍ମୀ ଏବଂ ଅଙ୍ଗନୱାର୍ଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜନ୍ଦ୍ରେ ପ୍ରସାଦ ଶର୍ମା ।