ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଜିତ୍ ଆୟର : ଝାରପଡା ଜେଲରେ କଟିଲା ରାତି ,ପଚରାଉଚରା ପାଇଁ ରିମାଣ୍ଡରେ ନେଇପାରେ କୋଣାର୍କ ପୁଲିସ

62

କନକ ବ୍ୟୁରୋ : ଗିରଫ ପରେ ଝାରପଡା ଜେଲରେ ଅଭିଜିତ୍ ଆୟାରଙ୍କ ପ୍ରଥମ ରାତି କଟିଛି । ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଝାରପଡା ଜେଲରେ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତରେ ଅଛନ୍ତି ଅଭିଜିତ୍ । ତାଙ୍କ ଉପରେ ଆକ୍ରମଣ ହେବାର ଭୟ ଥିବାରୁ ତାଙ୍କୁ ସ୍ୱତନ୍ତ୍ର ସେଲରେ ରଖାଯାଇପାରେ । ତେବେ ତାଙ୍କୁ କୋଣାର୍କ ପୁଲିସ ଆଜି ରିମାଣ୍ଡରେ ନେବାର ସମ୍ଭାବନା ରହିଛି । ଓଡିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪କୋଟି ଓଡିଆଙ୍କ ଭାବାବେଗକୁ କୁଠାରଘାତ କରିଥିବା ଅଭିଜିତ୍ ଆୟାରଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ୍ । ଗୃହ କମିଟିରେ ହାଜର ହେବା ପରେ ଗତକାଲି ତାଙ୍କୁ ଗିରଫ କରିଥିଲା ଶହୀଦ ନଗର ଥାନା ପୁଲିସ୍ ।

ସୂଚନାଯୋଗ୍ୟ ଅଭିଜିତ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଜିତଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯିବା ସହ ଗୃହ କମିଟି ନିକଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଅଭିଜିତ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆେବଦନକୁ ଚଳିତ ମାସ ୫ ତାରିଖରୁ ଖାରଜ କରିବା ସହିତ ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଟିପ୍ପଣୀ ଦେଇଥିଲେ । ସେହିପରି ବିଧାୟକମାନଙ୍କ ବିରୋଧରେ ବ୍ୟବହାର କରିଥିବା ଅପଶବ୍ଦକୁ ନେଇ ଗତ ୧୧ ତାରିଖରେ ଗୃହ କମିଟି ନିକଟରେ ହାଜର ହେବା କଥା । କିନ୍ତୁ ତିତଲି ବାତ୍ୟା କାରଣରୁ ସେ ହାଜର ହୋଇ ପାରି ନ ଥିଲେ ବୋଲି ସଫେଇ ଦେଇଥିଲେ । ପରେ ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଟୁଇଟ କରିଥିଲେ ।