ମୁହଁରୁ ଚିହ୍ନିବ ‘ଆଧାର’ । ଆଧାରର ସତ୍ୟାସତ୍ୟ ପ୍ରମାଣ ପାଇଁ ଆଉ ଏକ ପଦକ୍ଷେପ

26

କନକ ବ୍ୟୁରୋ : ଆଧାର ପାଇଁ ମନୁଷ୍ୟର ମୁଖମଣ୍ଡଳ ହେବ ଆଉ ଏକ ସୁରକ୍ଷା ପ୍ରାଚୀର। ଆଧାରର ସତ୍ୟାସତ୍ୟ ପ୍ରମାଣ ପାଇଁ ଏବେ ଆଙ୍ଗୁଠି ଛାପ, ଆଖି ପିତୁଳା ଏବଂ ଓଟିପି( ଓ୍ଵାନ ଟାଇମ୍ ପାସଓ୍ଵାର୍ଡ)କୁ ବ୍ୟବହାର କରାଯାଉଛି। ଆଗାମୀ ଦିନରେ ମୁହଁକୁ ବ୍ୟବହାର କରାଯିବ। ଲୋକମାନଙ୍କୁ ଆଧାର ପ୍ରମାଣର ଅଧିକ ବିକଳ୍ପ ଯୋଗାଇ ଦେବାକୁ ଯାଇ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ଏହି ନିଷ୍ପତ୍ତି ନେଇଛି। ଆସନ୍ତା ଜୁଲାଇ ପହିଲା ସୁଦ୍ଧା ଏହି ନୂଆ ସୁବିଧା ଉପଲବ୍ଧ ହେବ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। ୟୁଆଇଡିଏଆଇ ପକ୍ଷରୁ ଏହା କୁହାଯାଇଛି ଯେ, ଆଧାର ପଞ୍ଜୀକରଣ ସମୟରେ ଲୋକମାନଙ୍କର ମୁହଁର ଫଟୋ ନିଆଯାଇଥାଏ। ତେଣୁ ପରିଚୟ ଯାଞ୍ଚ ପାଇଁ ଆଧାର ନମ୍ବରକୁ ବ୍ୟବହାର କରିବା ସମୟରେ ଆଙ୍ଗୁଠି ଛାପ, ଆଖି ପିତୁଳା ସହିତ ମୁଖକୁ ମଧ୍ୟ ଉପଯୋଗ କରାଯାଇ ପାରିବ।

ଏପରିକି ବୟସ୍କ ବ୍ୟକ୍ତି ବା ହାତରେ କଠିନ ଶାରୀରିକ କାମ କରୁଥିବା ବ୍ୟକ୍ତି, ଯେଉଁମାନଙ୍କର ଆଙ୍ଗୁଠି ଛାପ ବା ଆଖିର ପିତୁଳାକୁ ଆଧାର ପ୍ରମାଣନ ପାଇଁ ସହଜ ହୋଇ ନଥାଏ ସେମାନଙ୍କ ଲାଗି ମୁଖମଣ୍ଡଳର ଫଟୋ ଆଉ ଏକ ବିକଳ୍ପ ଭାବେ କାର୍ୟ୍ୟ କରିବ। ୟୁଆଇଡିଏଆଇ ନିକଟରେ ମୁହଁର ଫଟୋ ପୂର୍ବରୁ ସାଇତା ହୋଇ ରହିଥିବାରୁ ନୂଆକରି ଏହାକୁ ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ସେହିଭଳି ଲାପଟପ୍ ଓ ମୋବାଇଲରେ କ୍ୟାମେରା ରହୁଥିବା ଆଧାର ପ୍ରମାଣନ କରୁଥିବା ସଂସ୍ଥା ପାଇଁ କୌଣସି ଅତିରିକ୍ତ ଉପକରଣର ଆବଶ୍ୟକତା ପଡ଼ିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଆଧାର ତଥ୍ୟକୁ ସହଜରେ ଚୋରି କରାଯାଉଛି ବୋଲି କିଛି ଦିନ ପୂର୍ବେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶବ୍ୟାପୀ ଝଡ଼ ସୃଷ୍ଟି ହୋଇଥିଲା। ଏହାପରେ ସରକାର କୌଣସି ସଂସ୍ଥାକୁ ଆଧାର ନମ୍ବର ନଦେବାକୁ ସ୍ଥିର କରିଛନ୍ତି। ଆଧାର ନମ୍ବର ପରିବର୍ତେ ଏକ ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ନମ୍ବର ଦେବାର ବ୍ୟବସ୍ଥା ଘୋଷଣା କରିଛନ୍ତି। ୟୁଆଇଡିଏଆଇ େଓ୍ଵବସାଇଟରୁ ଏହି ଭର୍ଚୁଆଲ ନମ୍ବରକୁ ସୃଷ୍ଟି କରାଯାଇ ସିମ ଯାଞ୍ଚ ସମେତ ଅନ୍ୟ ଜରୁରୀ କାର୍ୟ୍ୟ ସମ୍ପାଦନ କରାଯାଇ ପାରିବ।

ଏତଦବ୍ୟତୀତ ବୟସ୍କ ବ୍ୟକ୍ତି ଓ କଠିନ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ସମେତ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଆଖି ପିତୁଳା ଓ ଆଙ୍ଗୁଠି ଛାପରେ ଆଧାର ପ୍ରମାଣନ କାର୍ଯ୍ୟ କଷ୍ଟକର ହେବ। ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମର ବାର୍ଷିକ ରିପୋର୍ଟ ୨୦୧୬-୧୭ ଅନୁଯାୟୀ ୨୦୧୭ ଏପ୍ରିଲ ପହିଲା ସୁଦ୍ଧା ଦେଶରେ ୮୮,୧୬୬ ଜଣ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି ରହିଛନ୍ତି। ବିଶ୍ୱର କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ଏହି ସଂଖ୍ୟା ହେଉଛି ୫୭ ପ୍ରତିଶତ।

ଯଦି ଏହି ରୋଗୀଙ୍କ ମଧ୍ୟରୁ କିଛି ଲୋକଙ୍କ ଆଙ୍ଗୁଠି ବା ଆଖି ନଷ୍ଟ ହୋଇଯାଏ ତାହେଲେ ଏମାନଙ୍କ ପାଇଁ ଆଧାର ପ୍ରମାଣନ କଷ୍ଟକର ହେବ। ଏହାହେଲେ ସେମାନଙ୍କୁ ଆଧାର କାର୍ଡ ମାଧ୍ୟମରେ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ମିଳିପାରିବ ନାହିଁ। ଆସନ୍ତା ମାର୍ଚ ୩୧ ତାରିଖ ସୁଦ୍ଧା ବିଭିନ୍ନ ଯୋଜନା ପାଇଁ ଆଧାର ସଂଯୋଗ କରିବା ଲାଗି ଲୋକଙ୍କୁ ସରକାର ସୁଯୋଗ ଦେଇଛନ୍ତି। ଏଣୁ ୨୦୧୮ ଏପ୍ରିଲରୁ ବ୍ୟାଙ୍କ ଆକାଉଣ୍ଟ, ପାନ୍ କାର୍ଡ ଏବଂ ମୋବାଇଲ ସିମ୍, ବୀମା ଓ ଅନ୍ୟାନ୍ୟ ଆର୍ଥିକ ସେବାରେ ଆଧାର ସଂଯୋଗ ବାଧ୍ୟତାମୂଳକ ହେବାକୁ ଯାଉଥିବାରୁ ଏହି ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ମୁଖମଣ୍ଡଳକୁ ବ୍ୟବହାର କରି ଆଧାରର ପ୍ରମାଣନ ଆଉ ଏକ ପର୍ଯ୍ୟାୟର ସୁବିଧା ଯୋଗାଇ ଦେବ ବୋଲି ଆଶା କରାଯାଉଛି।