ଡାକ୍ତରଖାନାରେ ବି ସୁରକ୍ଷିତ ନାହାଁନ୍ତି ଡାକ୍ତର ! ଚାମ୍ବରରେ ପଶି ହେଉଛି ମରଣାନ୍ତକ ଆକ୍ରମଣ

39

କନକ ବ୍ୟୁରୋ: ଡାକ୍ତରଖାନା ଭିତରେ କେତେ ସୁରକ୍ଷିତ ଡାକ୍ତର ? ନିର୍ଭୟରେ ରୋଗୀ ଚିକିତ୍ସା କରି ପାରୁଛନ୍ତି କି ଆମ ଡାକ୍ତର? ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି ଯେତେବେଳେ କୁଚିଣ୍ଡା ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ତାଙ୍କ ଚାମ୍ବର ଭିତରେ ପଶି ଜଣେ ବ୍ୟକ୍ତି ମରାଣାନ୍ତକ ଆକ୍ରମଣ କରିଛନ୍ତି । ଆଉ ଏହି ଆକ୍ରମଣ ଲାଇଭ୍ ଚିତ୍ର କଏଦ ହୋଇଛି ସିସିଟିଭି କ୍ୟାମେରାରେ । ପଢନ୍ତୁ ଏହି ରିପୋର୍ଟ ।

ସମୟ: ରାତି ପ୍ରାୟ ସାଢ଼େ ୯ଟା । ସ୍ଥାନ: କୁଚିଣ୍ଡା ଡାକ୍ତରଖାନା । ସବୁଦିନ ଭଳି ସ୍ୱାଭାବିକ ଭାବରେ ଚାଲିଥାଏ ରୋଗୀ ସେବା । ନିଜ ଚାମ୍ବରରେ ରୋଗୀଙ୍କୁ ଅପେକ୍ଷା କରି ରହିଥାନ୍ତି ଡାକ୍ତର ସୁବୋଧ ନାୟକ । ଆଉ ଠିକ୍ ଏହି ସମୟରେ ସ୍ୱାଭବସୁଲଭ ଢ଼ଙ୍ଗରେ ଡାକ୍ତରଙ୍କ ଚାମ୍ବରରେ ପଶିଲେ ଜଣେ ବ୍ୟକ୍ତି । କେହି କିଛି ବୁଝିବା ଆଗରୁ ପାଖରେ ଥିବା ଷ୍ଟୁଲଟି ଉଠାଇ, ସିଧାସଳଖ ଡାକ୍ତରଙ୍କ ମୁଣ୍ଡରେ କଚାଡି ଦେଲେ । ଭୟବିତ ହୋଇ ଡାକ୍ତର ଜଣକ, ଏକଡସେକଡ ହେଲା ବେଳକୁ ପୁଣି ଥରେ ହେଲା ଆକ୍ରମଣ । ଏଥିରେ ଏହି ବ୍ୟକ୍ତିର ମନ ବୁଝିନଥିଲା ଯେ, ପାଖରେ ଥିବା ଡଷ୍ଟବିନ୍ ଡବାକୁ ଉଠାଇ ବୁଣ୍ଡରେ କଚାଡ଼ି ଦେଲା ।

ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି- ମିଥୁନ୍ ସୋନି ଓରଫ୍ ମୁଷା । ଫିଲ୍ମର ହିରୋ ଭଳି ନାଁ ରଖିଥିବା ଏହି ବ୍ୟକ୍ତି କରିଛନ୍ତି ଭିଲେନଙ୍କୁ ଟପି ଗଲା ଭଳି କାର୍ଯ୍ୟ । ରାତିର ଅନ୍ଧାରରେ ଆସି, ଆକ୍ରମଣ କରି ଫେରାର୍ ହୋଇଯିବାର ଲକ୍ଷ୍ୟ ରଖିଥିବା ମିଥୁନ୍ କିନ୍ତୁ ଧରା ପଡ଼ିଯାଇଥିଲେ କ୍ୟାମେରା ଆଖିରେ । ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବରୁ ଚିକିତ୍ସାକୁ ନେଇ ଡାକ୍ତର ଏବଂ ମିଥୁନଙ୍କ ମଧ୍ୟରେ କିଛି ବିବାଦ ଥିବା କୁହାଯାଉଛି । ଏବେ ଅଭିଯୁକ୍ତ ମିଥୁନ ସୋନି ଫେରାର୍ ହୋଇଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ସମ୍ବଲପୁର ଯାଇଛନ୍ତି ଡାକ୍ତର ସୁବୋଧ ନାୟକ । ହେଲେ କୁଚିଣ୍ଡାର ଏହି ଘଟଣା ସୃଷ୍ଟି କରିଛି ଅନେକ ପ୍ରଶ୍ନ ।