ସମ୍ମାନ ମିଳିଲା ରାଜନୀତି ବଢ଼ିଲା ! ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପରେ ଓଡ଼ିଶାରେ ଶୁଭିଲା ନବୀନଙ୍କ ଜୟ ଜୟକାର । ବିଜେପି କହିଲା ପ୍ରାୟୋଜିତ
କନକ ବ୍ୟୁରୋ: ଆଦର୍ଶ ମୁଖ୍ୟମନ୍ତ୍ରୀର ଅସ୍ତ୍ର ଧରି ଓଡ଼ିଶା ଫେରିଛନ୍ତି ନବୀନ ପଟ୍ଟନାୟକ । ଆଉ ସ୍ୱୀକୃତିର ଏହି ନୂଆ ସଂଜ୍ଞା ଧରି ରାଜନୀତିର ନୂଆ ଲଢ଼େଇ ଲଢ଼ିବ ବିଜୁ ଜନତା ଦଳ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଏଯେଉଁ ବିରାଟ ପଟୁଆର ବାହାରିଛି, ତାହା ବିଜେଡିର ଦମ୍ଭକୁ ଦୁଇଗୁଣିତ କରିଦେଇଛି । ୩୦ ହଜାରରୁ ଅଧିକ ନେତା ଓ କର୍ମୀ, ଆଉ ତା ଭିତରେ ସଜ୍ଜିତ୍ ସ୍ୱତନ୍ତ୍ର ଗାଡ଼ିରେ ଦଳୀୟ ସୁପ୍ରିମୋ । ନବୀନଙ୍କ ଜୟ ଜୟକାର ଭିତରେ, ଠିକ୍ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ଭଳି, ଆଦର୍ଶ ମୁଖ୍ୟମନ୍ତ୍ରୀର ବାର୍ତାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବିଜେଡିର ବ୍ୟାପକ ପ୍ରସ୍ତୁତି । ଆଉ ଏହି ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଶ୍ରେୟ ଦେବା ସହ ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମୋଦିଙ୍କ ବିରୋଧରେ ରାଜନୈତିକ ଯୁଦ୍ଧ ଲଢ଼ିବା ପାଇଁ ଆଦର୍ଶ ମୁଖ୍ୟମନ୍ତ୍ରୀର ଏହି ସମ୍ମାନ, ବିଜେଡିକୁ ପାଇଁ ଆଣି ଦେଇଛି ଆଉ ଏକ ସୁବର୍ଣ୍ଣ ସୁଯୋଗ । ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ପାଇଁ ସରକାରୀ ବିରୋଧୀ ମତ, ଏକ ପ୍ରକାର ଅଡୁଆ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ପଂଚାୟତ ନିର୍ବାଚନ ପରେ ବିଜେପି କ୍ରମଶଃ ଓଡ଼ିଶାରେ ଶକ୍ତିସଂଚୟ କରିବାରେ ଲାଗିଛି । ଆଉ ଠିକ୍ ଏମିତି ବେଳେ ନବୀନ ପଟ୍ଟନାୟକଙ୍କୁ ମିଳିଛି ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ମୁଣ୍ଡରେ ଆଦର୍ଶର ପଗଡ଼ିକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହିଁ ଭାରତୀୟ ଜନତା ପାର୍ଟି । ଶିଳ୍ପ, ନିଯୁକ୍ତି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ବିଫଳ ହେବା ପରେ ଏହି ପ୍ରାୟୋଜିତ ପୁରସ୍କାରକୁ ନେଇ ଓଡ଼ିଶା ଲୋକଙ୍କୁ ଠକିବାକୁ ଉଦ୍ୟମ ହେଉଥିବା ବିଜେପି କହିଛି । ଯାହାର ଜବାବରେ ବିଜେଡିର ମତ- ଆଗାମୀ ନିର୍ବାଚନର ପରିଣାମ କହିବ କାହା ସାଙ୍ଗରେ ଅଛନ୍ତି ଓଡ଼ିଶାବାସୀ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି, ଗୋଟି ଗୋଟି କରି ମୋଦି ଓ ବିଜେପି ସରକାରଙ୍କ ସଫଳତା ବଖାଣୁଥିବା ବେଳେ ନବୀନଙ୍କ ଗୁଣଗାନ କରିବା ପାଇଁ ବିଜେଡିକୁ ମିଳି ଯାଇଛି ଆଉ ଗୋଟିଏ ସୁଯୋଗ । ଆଉ ରାଜନୀତିର ଏହି ପ୍ରତିଦ୍ୱନ୍ଦିତା ଭିତରେ ଦେଖିବାର କଥା କେଉଁ ସଫଳତା ଓ ପୁରସ୍କାରକୁ ଜନତାଙ୍କ ସମର୍ଥନ ମିଳୁଛି ।
ସେପଟେ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି- ଓଡ଼ିଶା ଲୋକଙ୍କୁ ଠକି ଚାଲିଛନ୍ତି ନବୀନ । ଏହି ପୁରସ୍କାରକୁ ମହାକାଳ ଫଳ ସହିତ ତୁଳନା କରିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । ବିଜେପିର ଉତଥାନରେ ହତାଶ ହୋଇପଡିଛନ୍ତି ବିଜେଡି କର୍ମୀ । ତେଣୁ ପୁରସ୍କାର ଆଣି ବିଜେଡି କର୍ମୀଙ୍କୁ ଉତ୍ସାହିତ କରନ୍ତୁ ମୁଖ୍ୟମନ୍ତ୍ରୀ । କିନ୍ତୁ ଓଡିଶାର ସ୍ୱାଭିିମାନ ସହିତ ଖେଳିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ସରକାର ଶିଳ୍ପ, ଯୁବକଙ୍କୁ ଚାକିରୀ, ଜଳସେଚନ, କୃଷି, ଶିକ୍ଷା, ସ୍ୱାସ୍ଥ୍୍ୟ ଭଳି ସବୁ କ୍ଷେତ୍ରରେ ବିଫଳ ବୋଲି ବିଜେପି କହିଛି । ନବୀନ ସରକାର ଓଡିଶା ଲୋକଙ୍କୁ ବହୁତ ଠକିିଲେଣି, ଲୋକେ ବର୍ଜନ କଲା ବେଳେ ସେମାନେ ଭାବମୂର୍ତ୍ତୀ ବଢାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆଉ ବିଜ୍ଞାପନ ଦିଅନ୍ତୁ ନାହିଁ । କାରଣ ସେଥିରେ ଗରିବ ଲୋକଙ୍କ ଟିକସ ଟଙ୍କା ଲାଗିଛି । ମୁଖ୍ୟମନ୍ତ୍ରୀ ସସମ୍ମାନେ ଅବସର ନେଲେ ଓଡିଶାବାସୀ ମନେ ରଖିବେ ବୋଲି ସେ କହିଛନ୍ତି ।
ଏହାର କଡା ଜବାବ ଦେଇଛି ବିଜେଡି । ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଛନ୍ତି, ଆଗକୁ ନିର୍ବାଚନର ଫଳାଫଳ କଣ ହେବ ତାହା ଜମାପଡିଗଲାଣି, ତେଣୁ ବିଜେପି ଏଭଳି ମନ୍ତବ୍ୟ ଦେଉଛି । ପୁରସ୍କାର ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ବିରୋଧୀଙ୍କ ସମାଲୋଚନା ହିଁ ସୂଚାଉଛି ଯେ ରାଜ୍ୟବାସୀଙ୍କ ପ୍ରତି ସେମାନଙ୍କ ଆନ୍ତରିକତା କେତେ ବୋଲି କହିଛନ୍ତି ଅମର ।