ଏ ହେଉଛନ୍ତି ଆନ୍ଧ୍ରପ୍ରଦେଶର ସୁବ୍ୱାରାଓ ଲିଙ୍ଗମଙ୍ଗୁଟଲା । ଯାହାଙ୍କୁ ଆପଣ ଅର୍ଜ୍ଜୁନଙ୍କ ଅବତାର ମଧ୍ୟ କହିପାରିବେ । ସୁବ୍ୱାରାଓ କେବଳ ଖୋଲାଆଖିରେ ନୁହଁ ଆଖିରେ ପଟି ବାନ୍ଧି ମଧ୍ୟ ତୀର ଚଳାଇବାର କୌଶଳତା ଦେଖାଇଥାନ୍ତି । ଗୋଡ ମାଧ୍ୟମରେ ପାଣିରେ ପହଁରୁଥିବା ମାଛର ଆଖିକୁ ବାଣ ବିନ୍ଧିବାର କୁଶଳତାକୁ ନିପୁଣ ଭାବରେ ସେ କରି ଦେଖାଇଥାନ୍ତି । ଅନ୍ତରାଷ୍ଟ୍ରୀୟ ଗୁରୁକୂଳ ସମ୍ମିଳନୀରେ ହଜାର ହଜାର ସଂଖ୍ୟାରେ ପ୍ରତିଯୋଗୀ ନିଜ କଳାକୌଶଳକୁ ଦେଖାଉଥିଲେ କିନ୍ତୁ ସୁବ୍ୱାରାଓଙ୍କ ଏଭଳି ବିଦ୍ୟା ଦର୍ଶକଙ୍କୁ ତାଙ୍କ ଆଡକୁ ଆକର୍ଷିତ କରୁଥିଲା । ଗଣ୍ଟୁର ଜିଲ୍ଲାର ଅଲବପଲ୍ଲୀ ଗାଁରେ ସେ ପୂଜାରୀ ଅଛନ୍ତି । ଧନୁବିଦ୍ୟା ସେ ନିଜ ପିତାଙ୍କ ଠାରୁ ଶିଖିଥିବା ବେଳେ ନିଜ ପରପିଢୀକୁ ମଧ୍ୟ ସେ ଏହି ବିଦ୍ୟା ଶିଖାଇବାକୁ ଚାହାନ୍ତି । ଏଥିପାଇଁ ସେ ଏକ ଗୁରୁକୂଳ ସ୍ଥାପିତ କରିବାକୁ ଚାହାନ୍ତି କିନ୍ତୁ ଏଥିପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନଥିବାରୁ ସେ ଆଗକୁ ବଢି ପାରୁନାହାନ୍ତି । ସୁବ୍ୱାରାଓଙ୍କ କହିବାନୁସାରେ ଯଦି ସରକାରଙ୍କ ତରଫରୁ କିଛି ସାହାର୍ଯ୍ୟର ହାତ ବଢିପାରନ୍ତା ତେବେ ଧନୁବିଦ୍ୟା ଭଳି ଏକ ପୁରାତନ ବିଦ୍ୟାକୁ ନେବାର ସ୍ୱପ୍ନ ପୂରଣ ହୋଇପାରନ୍ତା । ତାଙ୍କର ଦୁଇଟି ଝିଅ ମଧ୍ୟରୁ ସାନ ଝିଅଟି ଧନୁବିଦ୍ୟା ଶିଖିସାରିଛି । ସେ ମଧ୍ୟ ବାପାଙ୍କ ଭଳି ଆଖିରେ ପଟି ବାନ୍ଧି ଧ୍ୱନି ଶୁଣି ଲକ୍ଷ୍ୟ ଭେଦି ପାରୁଛି । ସେ ଆମେରିକାରୁ ଏଥିପାଇଁ ପୁରଷ୍କାର ମଧ୍ୟ ହାସଲ କରିସାରିଛି ।