ବୋଟ ବୁଡିଲା, ସାରା ରାତି ଗଛ ଉପରେ କଟିଲା: ଜଙ୍ଗଲରେ ଜୀବନ ପଛେ ପଛେ ଗୋଡାଉଥିଲା ମୃତ୍ୟୁ । ଝଡ ବର୍ଷା ରାତିରେ ମୃତ୍ୟୁକୁ ମାତ ଦେଲେ ୮ ମତ୍ସ୍ୟଜୀବୀ

2,901

କନକ ବ୍ୟୁରୋ: ଅଶାନ୍ତ ସମୁଦ୍ରରୁ ଉଦ୍ଧାର ହେଲେ ୮ ମତ୍ସ୍ୟଜୀବୀ । ଧାମରା ବନ୍ଦର ନିକଟ କାଳିନାଳୀରେ ଫଶି ଯାଇଥିବା ୨ଟି ମାଛଧରା ବୋଟକୁ ଉଦ୍ଧାର କଲା ପ୍ରଶାସନ । କାଳିନାଳୀ ନିଟ ଜଙ୍ଗଲରେ ୧୨ ଘଣ୍ଟା ରହିବା ପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ତେବେ ବାତ୍ୟା ବୁଲବୁଲ ପାଇଁ ଅଶାନ୍ତ ହୋଇଥିଲା ମଝି ସମୁଦ୍ର । ମାଛ ମାରିବାକୁ ଯାଇଥିବା ବେଳେ ମାଛ ଧରା ଡଙ୍ଗା ଦୋହଲିବାକୁ ଲାଗିଲା । ଆଉ କିଛି ସମୟ ପରେ ଡଙ୍ଗାରେ ପାଣି ପଶିଯିବାରୁ ଡଙ୍ଗା ବୁଡି ଯାଇଥିଲା । ଆଉ ତାପରେ ଜୀବନ ବିକଳରେ ୮ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଯାଇଥିଲେ । ତେବେ ଅନ୍ଧାର ରାତିରେ କାଳିନାଳୀ ପାଖରେ ପହଞ୍ଚିବା ପରେ ସମସ୍ତେ ଜଙ୍ଗଲ ଭିତରକୁ ଧାଇଁଥିଲେ ।

ବାତ୍ୟା ପାଇଁ ଜୁଆର ମାଡ ହେଉଥିବାରୁ ସମସ୍ତେ ଜୀବନ ବଞ୍ଚାଇବାକୁ ଜଙ୍ଗଲରେ ଥିବା ଗଛ ଉପରକୁ ଉଠି ଯାଇଥିଲେ । ଆଉ ସାରା ରାତି ସେଇ ଗଛ ଉପରେ ହିଁ ରହିଥିଲେ । ତେବେ କାଲି ରାତି ୨ଟାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଗଛ ଉପରେ ଚଢି ମୃତ୍ୟୁକୁ ମାତ ଦେଇଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ପ୍ରଶାସନ ।

ଉଦ୍ଧାର ହୋଇଥିବା ୮ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବେଳେ ୨ ଜଣ ଅଖିଆ ଅପିଆ ପାଇଁ ଅସୁସ୍ଥ ଅଛନ୍ତି । ଆଉ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର ପରେ ସେ କାଳ ରାତିର କଳା କାହାଣୀ କହିଛନ୍ତି ମତ୍ସ୍ୟଜୀବୀ । କେମିତି ମୃତ୍ୟୁ ମୁହଁରୁ ସେ ଝଡ ବର୍ଷା ରାତିରୁ ଉଦ୍ଧାର ହେଲେ ମିଡିଆ ଆଗରେ କହିଛନ୍ତି ମତ୍ସ୍ୟଜୀବୀ ।