ଯାଜପୁରର କୁନି କବି : କୋରା କାନଭାସରେ ଆଙ୍କିପାରୁଛନ୍ତି ଶବ୍ଦର ଗାଲିଚା, ଲେଖନୀରୁ ଝରୁଛି ସୁନ୍ଦର ସୁନ୍ଦର କବିତା

738

କନକ ବ୍ୟୁରୋ : ସୁନ୍ଦର ଶବ୍ଦର ଜାଲ ବୁଣେ କବି । ଶଦ୍ଦର ଯାଦୁଗରୀରେ ଲୋକଙ୍କକୁ ବାନ୍ଧି ରଖେ କବିର କଲମ୍ । ପୁଞ୍ଜା ପୁଞ୍ଜା ଶଦ୍ଦର ସମାହାରରେ ଅହରହ ବୁଣିଚାଲେ ଅନବଦ୍ୟ କବିତା । କବିର ଲେଖନୀର ମାଧୁର୍ଯ୍ୟରେ ଝରିପଡ଼େ ବୁନ୍ଦା ବୁନ୍ଦା ଅଶ୍ରୁଧାର । ସମୁଦ୍ରର ଲୁଣି ଜଳରେ ଫୁଟାଇପାରେ ଭାଷାର କମଳ । ମରୁଭୂମିର ଡହ ଡହ ତତଲା ବାଲିରେ ଶୀତଳ ଓ ସ୍ନିଗ୍ଧ ଝରଣା ଆବିଷ୍କାର କରିପାରେ ।  କବିର କୌଣସି ବୟସ ସୀମା ନଥାଏ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାବେଳୁ କବିତ୍ୱର ପ୍ରତିଭା ବାରି ହୋଇପଡ଼େ । ଏପରି ଜଣେ କୁନି ତଥା ବିରଳ ପ୍ରତିଭା ହେଲେ ଯାଜପୁର ବ୍ୟାସନଗରର ୭ମ ଶ୍ରେଣୀ ଛାତ୍ରୀ ସାଇନା ମହାନ୍ତି । ଅତି ଛୋଟବେଳୁ ପାଠପଢ଼ା ସହ ଇଂରାଜୀ ଭାଷାରେ ଅତି ସୁନ୍ଦର ସୁନ୍ଦର କବିତା ଲେଖିବା ସହ ଆବୃତ୍ତି ମଧ୍ୟ କରିପାରୁଛନ୍ତି ସାଇନା । ତାଙ୍କର ଏହି ବିରଳ ପ୍ରତିଭା ପାଇଁ ଘରେ ବାହାରରେ ଏପରିକି ସମଗ୍ର ଜିଲ୍ଲାରେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି  । 

 

କବିର କଲମରେ ଥାଏ ପ୍ରଚଣ୍ଡ ଶକ୍ତି । କବି ସ୍ରଷ୍ଟା ଆଉ ଦ୍ରଷ୍ଟା । ଯାହା ଦେଖେ କଲମରେ ଭାଷାର ବୈଭବରେ ସଜାଇଦିଏ ।  ତେବେ କବି ପ୍ରାଣ ପାଇଁ ବୟସ ପ୍ରତିବନ୍ଧକ ସାଜିପାରେନା । ଯାହା ପ୍ରମାଣିତ କରିଛନ୍ତି ବ୍ୟାସନଗର ସହରର ସାଇନା ମହାନ୍ତି । କୁନି କବି ସାଇନା । ବ୍ୟାସନଗର ଅନ୍ତର୍ଗତ ସେଂଟ ମେରୀ ସ୍କୁଲରେ ୭ମ ଶ୍ରେଣୀରେ ପଢ଼ନ୍ତି । ଅତି ଅଳ୍ପ ବୟସରୁ କୋରା କାନଭାସରେ ଆଙ୍କିଦିଅନ୍ତି ଶବ୍ଦର ଗାଲିଚା । ତାଙ୍କ କବିତାରେ ଶଦ୍ଦ ଗୁଡ଼ିକ ଜୀବନ୍ତ ଲାଗନ୍ତି । ବୟସ୍ ସିନା କମ ହେଲେ ତାଙ୍କର ପ୍ରତିଭା ବିରଳ । ଅତି ଅଳ୍ପ ବୟସରୁ ତାଙ୍କର କବିତାର ଭାବାବେଗ, ଶଦ୍ଦ ସଂଯୋଜନା ଓ ଭାଷାର ମୂଲ୍ୟବୋଧ ବେଶ ଉଚ୍ଚକୋଟୀର । ଯାହା ଦେଖନ୍ତି ତାହା କାଗଜ କଲମରେ ଅତି ସୁନ୍ଦର ଭାବରେ ଲେଖି ପାରନ୍ତି । 

ଖୁବ କମ ବୟସରୁ ଆରମ୍ଭ ହୋଇଥିଲା ସାଇନାଙ୍କ କବିତା ଲେଖା । ସ୍କୁଲର ଗୋଟିଏ କବିତା ପ୍ରତିଯୋଗିତାରୁ ଆରମ୍ଭ ହୋଇଥିଲା ସାଇନାଙ୍କ ଇଂରାଜୀ ଭାଷାରେ ଅତି ସୁନ୍ଦର ସୁନ୍ଦର କବିତା ଲେଖିବା । ଆଉ ସେବେଠାରୁ ପଛକୁ ଚାହିଁ ନାହାନ୍ତି କୁନି କବି ସାଇନା ।  ବାପା ମା ମଧ୍ୟ ତାଙ୍କୁ ଏଥିଲାଗି ଅନେକ ପ୍ରେରଣା ଦେଇଛନ୍ତି । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କବିଙ୍କୁ ଆଦର୍ଶ କରି କବିତା ଲେଖନ୍ତି ସାଇନା । ରବୀନ୍ଦ୍ର ନାଥ ଟାଗୋରଙ୍କ ଠାରୁ ଆରମ୍ଭ କରି ୱଲିୟମ ୱାଡ଼ର୍ସୱର୍ଥ, ଜର୍ଜ ବେନେଟଙ୍କ କବିତା ତାଙ୍କୁ ଅଧିକ ପ୍ରେରିତ କରେ ବୋଲି କହିଛନ୍ତି ସାଇନା । ସବୁଠାରୁ ଖୁସିର କଥା ହେଲା ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତିକା ଓ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି । କବିତା ଲେଖା ତାଙ୍କ ଆବେଗ ହୋଇଥିବା ବେଳେ ଭବିଷ୍ୟତରେ ଜଣେ ସଫଳ ହୃଦରୋଗ ବିଭାଗର ଡାକ୍ତର ହେବାକୁ ଆଶା ରଖିଛନ୍ତି ସାଇନା ।  

ସାଇନା କବିତା ଆବୃତ୍ତି ଓ ଲେଖାରେ ଯେତିକି ପାରଙ୍ଗମ ତାଙ୍କର ଚିତ୍ରକଳା ଓ ନୃତ୍ୟଗୀତ ସେତିକ ଉଚ୍ଚକୋଟୀର  । ତାଙ୍କର ଏହି ବିରଳ ପ୍ରତିଭା ପାଇଁ ଘରଲୋକ ବେଶ ଖୁସି । ସ୍କୁଲ ସାଙ୍ଗସାଥି ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ଏହି ବିରଳ କବି ପ୍ରତିଭା ପାଇଁ ଭୁରି ଭୁରି ପ୍ରଶଂସା କରନ୍ତି ।