ହାତୀଙ୍କ ଜୀବନ ନେଉଛି ହାରପିସ୍ ଭୂତାଣୁ । ନନ୍ଦନକାନନରେ ୩୦ ଘଂଟାରେ ଗଲାଣି ଦୁଇଟି ହାତୀର ଜୀବନ । ବିପଜ୍ଜନକ ଭୂତାଣୁର ମୁକାବିଲା ପାଇଁ ନିରୂପାୟ ଚିଡିଆଖାନା କର୍ତୃପକ୍ଷ

341

କନକ ବ୍ୟୁରୋ : ନନ୍ଦନକାନନ ଚିଡିଆଖାନାରେ ହାରପିସ୍ ଭୂତାଣୁ ସଂକ୍ରମଣରେ ଜୀବନ ସହ ସଂଘର୍ଷ କରୁଛି ଛୁଆ ହାତୀ ମାମା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏବେ ମାମାର ଚିକିତ୍ସା ଦାୟିତ୍ୱରେ ରହି ୨୪ ଘଂଟିଆ ନଜର ରଖିଛନ୍ତି । ମାମାକୁ କିପରି ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେ ନେଇ ଜାରି ରହିଛି ଉଦ୍ୟମ । ତେବେ ଏହା ମଧ୍ୟରେ ଗତକାଲି ନନ୍ଦନକାନନରେ ପ୍ରାଣ ହରାଇଛି ଆଉ ଏକ ଛୁଆ ହାତୀ । ଗୌରୀ ହାତୀ ଭୂତାଣୁ ସଂକ୍ରମଣର ଶିକାର ହୋଇ ଅସୁସ୍ଥ ହେବା ପରେ ଶୁକ୍ରବାର ରାତି ୯ଟା ୫୧ ମିନିଟ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ହାର୍ପିସ୍ ଭୂତାଣୁ ସଂକ୍ରମଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହା ହେଉଛି ଚତୁର୍ଥ ହାତୀ ମୃତ୍ୟୁ ।

ପୂର୍ବରୁ ଏକ ଚିକିତ୍ସକ ଟିମ୍ ଗୌରୀ ହାତୀର ଚିକିତ୍ସା ଉପରେ ନଜର ରଖିଥିଲେ । କିନ୍ତୁ ଏହି ଡାକ୍ତରୀଟିମ୍ ଗୌରୀକୁ ବଂଚାଇ ପାରି ନଥିଲେ । କହିବାକୁ ଗଲେ ଗତ ମାସକ ଭିତରେ ହାତୀ ସଫାରୀକୁ ବିପଦ ମାଡି ଆସିଛି । ନନ୍ଦନକାନନ ଚିଡିଆଖାନାରେ ଭୂତାଣୁ ସଂକ୍ରମଣ ନେଇସାରିଲାଣି ୪ ଟି ହାତୀଙ୍କ ଜୀବନ । ପ୍ରଥମେ ଅଗଷ୍ଟ ୨୫ ତାରିଖରେ ମାଈ ହାତୀ ଜୁଲି , ସେପ୍ଟେମ୍ୱର ୧୫ ତାରିଖରେ ୧୦ ବର୍ଷର ପୁରୁଷ ହାତୀ ଚନ୍ଦନ , ସେପ୍ଟେମ୍ୱର ୧୯ ତାରିଖରେ ୭ ବର୍ଷର ହାତୀ କମଳା ଆଖି ବୁଜିବା ପରେ ଗତକାଲି ୩ ବର୍ଷର ଛୁଆ ହାତୀ ଗୌରୀ ଆଖି ବୁଜିଛି ।

 ଏଭଳି ହାତୀ ମୃତ୍ୟୁ ପରେ ବର୍ତମାନ ନନ୍ଦନକାନନରେ ୩ ଟି ବୟସ୍କ ହାତୀ ଓ ଗୋଟିଏ ମାଈ ହାତୀ ଛୁଆକୁ ମିଶାଇ ୪ଟି ହାତୀ ରହିଛନ୍ତି । ଏହାକୁ ନେଇ ଚିଡିଆଖାନାରେ ହାତୀଙ୍କ ସୁରକ୍ଷା ନେଇ ବିତର୍କ ଆରମ୍ଭ ହୋଇଛି । ହାରପିସ୍ ଭୂତାଣୁକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ କର୍ତୃପକ୍ଷଙ୍କୁ ଚିନ୍ତା ଘାରିଛି । ଏବେ ଏହି ହାତୀ ଗୁଡିକୁ ବଂଚାଇବା ନନ୍ଦନକାନନ ଚିଡିଆଖାନା କର୍ତୃପକ୍ଷଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ହୋଇଯାଇଛି ।