ଧସିଲା ପାହାଡ, ଦୁଇ ମୃତ : ଜୟପୁର ଗୁମ୍ମା ପଥର କୁଆଁରିରେ ପାହାଡ ଧସି ୨ ଦୁଇ ମୃତ । ମାଟି ଓ ପଥର ତଳେ ଆହୁରୀ ଦୁଇ ଶ୍ରମିକ ଦବି ରହିଥିବା ଆଶଙ୍କା

74

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ଥାନା ଅନ୍ତର୍ଗତ ଗୁମ୍ମା ପଥର କୁଆଁରିରେ ଗତକାଲି ସଂଧ୍ୟାରେ ଏକ ଅଘଟଣ ଘଟିଛି। ହଠାତ୍ ପାହାଡ଼ ଧସି ଯିବାରୁ ଚାପି ହୋଇ ୪ଜଣ ଜେସିବି ଅପରେଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଅପରେଟରଙ୍କର ପରିଚୟ ମିଳିନଥିବାବେଳେ ସେମାନେ ବଲାଙ୍ଗୀର ଜିଲ୍ଲାରୁ ଆସିଥବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ତେଲେଙ୍ଗିରି ପ୍ରକଳ୍ପ ନିମନ୍ତେ ରାଣୀଗଡ଼ସ୍ଥିତ ଗୁମ୍ମା ପାହଡର କିଛି ଅଂଶକୁ ବିସ୍ଫୋରଣ କରାଯାଇଥିଲା। ଏଥିପାଇଁ ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରାଯାଇଥିଲା। ଗତକାଲି ଅପରାହ୍ନରେ ୩ଟି ଜେସିବି ନେଇ ୪ଜଣ ଅପରେଟର ପଥର ସଂଗ୍ରହ କରିବାକୁ ଯାଇଥିଲେ। ଏଣେତେଣେ ଖେଳାଇ ହୋଇପଡ଼ିଥିବା ପଥରକୁ ସଂଗ୍ରହ କରିବା ସମୟରେ ହଠାତ୍ ପାହଡ଼ ଧସିଯାଇ ଜେସିବି ଗୁଡିକ ଉପରେ ଖସିପଡ଼ିଥିଲା। ଫଳରେ, ୪ଜଣ ଯାକ ଜେସିବି ଅପରେଟର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସେହି ସମୟରେ ଘଟଣାସ୍ଥଳରେ ଅନ୍ୟ କେହି ନଥିଲେ।

ଫଳରେ, ଘଟଣା ସମ୍ପର୍କରେ ସହସା ଜଣାପଡ଼ିନଥିଲା। ସଂଧ୍ୟାରେ ଏ ସମ୍ପର୍କରେ ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୫୦ ଫୁଟ ଉପରୁ ବଡ଼ ବଡ଼ ପଥର ଖଣ୍ଡ ଜେସିବି ଉପରେ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସମସ୍ୟା ହୋଇଥିଲା। ଖବର ପାଇ ବୋରିଗୁମ୍ମା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏବେବି ଅନ୍ୟ ଦୁଇ ଜଣଙ୍କର ମୃତ ଦେହ ପଥର ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି ।