ପୁଅ ପାଲଟିଗଲା ପିଶାଚ: ଚିକିତ୍ସା ପାଇଁ ଟଙ୍କା ନଥିବାରୁ ରୋଗୀଣା ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଦେଲା ପୁଅ

35

କନକ ବ୍ୟୁରୋ: ରୋଗଗ୍ରସ୍ତ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ । ପୁଲିସ ଗାଁରେ ପହଂଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ମୃତକ ଝାମ୍ପି ଦାସ ପ୍ରାୟ ୮ ମାସ ହେବ ରୋଗରେ ପଡିବାରୁ ପୁଅ ବିକ୍ରମ ଦାସ ତାଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ବିକ୍ରମ ନିଜ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଚିକିତ୍ସା ପାଇଁ ଅର୍ଥ ଅଭାବ ହେବାରୁ ସବୁଦିନ ପାଇଁ ମାଆକୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା କରିଛି ପୁଅ । ପରେ ମାଆର ମୃତଦେହକୁ ଏକ ଅଖାରେ ଭର୍ତି କରି ନିକଟସ୍ଥ ଶ୍ମଶାନରେ ପୋତି ଦେଇଥିଲା । ଖବର ପାଇ ପୋଲିସ ଶ୍ମଶାନରୁ କବର ଖୋଳିି ମୃତଦେହ ଉଦ୍ଧାର କରିଛି ।

ମିଳିଥିବା ସୂଚନାନୁସାରେ, ଦଳିତ ସାହିରେ ଝାମ୍ପି ଦାସ (୬୦) ଓ ତାଙ୍କ ପୁଅ ବିକ୍ରମ ରୁହନ୍ତି। ବିକ୍ରମଙ୍କ ପତ୍ନୀ ୬ ମାସ ହେବ ବାପଘରକୁ ପଳାଇଛନ୍ତି । ଘରେ ମା’, ପୁଅ ରହୁଥିବାବେଳେ ମା’ ଝାମ୍ପି ମୁଖଗହ୍ଵର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ବିକ୍ରମ ମା’ଙ୍କୁ ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ଏଥିପାଇଁ ସେ ବିଭିନ୍ନ ଲୋକଙ୍କଠୁ ଧାରଉଧାର କରିଥିଲେ। କିନ୍ତୁ ଝାମ୍ପିଙ୍କ ଅବସ୍ଥାରେ କୌଣସି ଉନ୍ନତି ନହେବାରୁ ସେ ଭାଙ୍ଗି ପଡ଼ିଥିଲେ । ସେପଟେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼କୁ ନେଇ ସେ ଚିନ୍ତାରେ ପଡ଼ିଥିବାବେଳେ ଝାମ୍ପିଙ୍କ ଯନ୍ତ୍ରଣା ଦିନକୁଦିନ ବଢିଚାଲିଥିଲା। ସେ ଖାଇପାରୁ ନଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହା ଦେଖି ବିକ୍ରମ ମାନସିକସ୍ତରରେ ଭାଙ୍ଗି ପଡ଼ିବା ସହ ମା’ର ଯନ୍ତ୍ରଣା ତାଙ୍କୁ ବ୍ୟଥିତ କରିଥିଲା।

ବୁଧବାର ସମସ୍ତ ହିତାହିତ ଜ୍ଞାନ ଭୁଲି ବିକ୍ରମ ଏକ କୁରାଢିରେ ଝାମ୍ପିଙ୍କୁ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଗ୍ରାମବାସୀଙ୍କ ନିକଟରେ ଏକଥା ସ୍ୱୀକାର କରିବା ସହିତ ଶବକୁ ଏକ ଅଖାରେ ବାନ୍ଧି ଶ୍ମଶାନରେ ପୋତି ଦେଇଥିଲେ। ପ୍ରଥମେ ଦୋ’ଦୋ’ପାଞ୍ଚରେ ଥିବା ଗାଁଲୋକ ପରେ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ବିକ୍ରମଙ୍କୁ ଗିରଫ କରିବା ସହିତ ମଶାଣିରୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମା’ର କଷ୍ଟ ଦେଖି ନପାରି ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା କଥା ଅଭିଯୁକ୍ତ ବିକ୍ରମ ପୁଲିସ ଆଗରେ ସ୍ୱୀକାର କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।