ଦୁଇଦିନିଆ ବ୍ୟାଙ୍କ ଧର୍ମଘଟର ବଡ ପ୍ରଭାବ: ଏଟିଏମ୍ ଖାଲି, କ୍ଲିୟର ହୋଇପାରିଲାନି ୮୦ ଲକ୍ଷରୁ ଅଧିକ ଚେକ୍, ଗ୍ରାହକ ହନ୍ତସନ୍ତ
କନକ ବ୍ୟୁରୋ: ଦୁଇ ଦିନିଆ ବ୍ୟାଙ୍କ ଷ୍ଟ୍ରାଇକ୍ କଲା ବେହାଲ । ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନରେ ଗ୍ରାହକ ହେଲେ ହନ୍ତସନ୍ତ । ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । ଏହି ଦୁଇ ଦିନିଆ ଷ୍ଟ୍ରାଇକ୍ ଯୋଗୁ ବ୍ୟାଙ୍କ କାର୍ଯ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ସାରା ଦେଶର ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ୮୦ ଲକ୍ଷରୁ ଅଧିକ ଚେକ୍ କ୍ଲିୟର ହୋଇ ପାରିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆନ୍ଦୋଳନରେ ସାମିଲ ହୋଇଥିବା ବ୍ୟାଙ୍କ ସଙ୍ଗଠନଗୁଡିକ ଏହି ଦାବି କରିଛନ୍ତି । ଏହି ଚେକ୍ ଗୁଡିକୁ କ୍ଲିୟର ପାଇଁ ଆହୁରି ଗୋଟିଏ ସପ୍ତାହ ଲାଗିବ ବୋଲି ଜଣାପଡିଛି । ମେ ୨୯ ଓ ୩୦ ତାରିଖରେ ବ୍ୟାଙ୍କ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଦେଶର ୨୧ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ୧୩ଟି ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ୍ ସହ ୬ଟି ବିଦେଶୀ ବ୍ୟାଙ୍କ ଓ ୫୬ଟି ଆଂଚଳିକ ଗ୍ରାମୀଣ ବ୍ୟାଙ୍କ୍ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଏଆଇବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ କହିଛନ୍ତି, ରାଜ୍ୟରେ ପ୍ରାୟ ୫୦୦୦ ବ୍ୟାଙ୍କ ଶାଖାର ୩୫ରୁ ୪୦ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ। ଏଥିଯୋଗୁଁ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୋଇଛି। ଅଧିକାଂଶ ଏଟିଏମ୍ରୁ ଟଙ୍କା ଖାଲି ହୋଇଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆଜିଠାରୁ ବ୍ୟାଙ୍କ ସେବା ସ୍ୱାଭାବିକ ହୋଇଯିବ। କର୍ମଚାରୀ ଓ ପେନ୍ସନ୍ଭୋଗୀମାନେ ସେମାନଙ୍କ ବେତନ ଓ ପେନସନ ଆଜି ପାଇଯିବେ। ତେବେ ତୃତୀୟ ପକ୍ଷକୁ ଏଟିଏମ୍ରେ ଟଙ୍କା ଭରିବା କାର୍ଯ୍ୟ ଦିଆଯାଇଥିବାରୁ କିଛିଟା ଏଟିଏମ୍ରେ ଟଙ୍କା ଭରିବା କାର୍ଯ୍ୟ ବିଳମ୍ବ ହୋଇପାରେ। ଦୁଇଦିନର ଧର୍ମଘଟ ପରେ ଯଦି ଆଇବିଏ ଦାବି ପୂରଣ ନକରେ ତାହେଲେ ଆଗାମୀ ଦିନରେ ଧର୍ମଘଟକୁ ଆହୁରି ବ୍ୟାପକ ଏବଂ ତୀବ୍ରତର କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଶିଳ୍ପ ସଂଘ ଆସୋଚାମର ଆକଳନ ଅନୁଯାୟୀ ଦୁଇ ଦିନର ବ୍ୟାଙ୍କ ଧର୍ମଘଟ ଯୋଗୁଁ ୨୦ ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଧର୍ମଘଟ ୪୮ ଘଣ୍ଟା ପାଇଁ କରାଯାଇଥିଲା। ବୁଧବାର ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ହୋଇଥିଲା।