କେପଟାଉନରେ କମାଲ ଦେଖାଇଲା ଟିମ୍ ଇଣ୍ଡିଆ ! ଶେଷ ମ୍ୟାଚରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ୭ରନରେ ହରାଇ ସିରିଜ୍ କବଜା କଲା ଭାରତ

35

କନକ ବ୍ୟୁରୋ: କେପଟାଉନରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚରେ ଘରୋଇ ଦଳକୁ ୭ରନ୍ରେ ହରାଇଲା ଭାରତ । ଏହି ମ୍ୟାଚ ବିଜୟ ସହ ଟି-୨୦ ସିରିଜ୍ ଜିତି ନେଇଛି ଟିମ୍ ଇଣ୍ଡିଆ । ଭାରତ ୨-୧ରେ ସିରିଜ୍ କବଜା କରିଛି । ନିର୍ଦ୍ଧାରିତ ଓଭରରେ ଟିମ୍ ଇଣ୍ଡିଆ ୭ୱିକେଟ୍ ହରାଇ ୧୭୨ ରନ୍ କରିଥିଲା । ଦକ୍ଷିଣଆଫ୍ରିକା ଦଳ ସମାନ ଓଭରରେ ୬ୱିକେଟ୍ ହରାଇ ୧୬୫ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଷ ମ୍ୟାଚରେ ସୁରେଶ ରୈନା ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିବାବେଳେ ଭୁବନେଶ୍ୱର କୁମାର ମ୍ୟାନ ଅଫ୍ ଦି ସିରିଜ୍ ହୋଇଛନ୍ତି । ପୂର୍ବରୁ ଚଳିତ ଗସ୍ତରେ ଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ଦିନିକିଆ ସିରିଜକୁ ଜିତି ନେଇଥିଲା ।

ଉଲ୍ଲେଖଥାଉ କି, ଶନିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ବିଜୟ ପାଇଁ ୧୭୩ ରନ୍ ଲକ୍ଷ୍ୟ ରଖିଥିଲା। ଘରୋଇ ଦଳ କିନ୍ତୁ ୧୬୫/୬ରେ ସୀମିତ ରହିଯାଇଥିଲା। ଶୃଙ୍ଖଳାକୁ ୨-୧ରେ ଜିତି ଭାରତ ମଧ୍ୟ ଯେଉଁ କେପ୍ ଟାଉନ୍ (ଟେଷ୍ଟ୍) ପରାଜୟ ସହ ଗସ୍ତ ଆରମ୍ଭ କରିଥିଲା ସେହିଠାରେ ବିଜୟ ସହ ଦୁଇ ମାସିଆ ଅଭିଯାନକୁ ଶେଷ କରିଦେଲା। ଶନିବାର ସୁରେଶ ରାଇନା ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଭୁବନେଶ୍ୱର କୁମାର (୭ ଓ୍ଵିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ । ୧୭୩ ରନକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ଜେପି ଡୁମିନିଙ୍କ ଅର୍ଧଶତକ (୫୫, ୪୧ ବଲ, ୨ ଚୌକା, ୩ ଛକା) ଏବଂ ପ୍ରଥମ ପଦାର୍ପକ କ୍ରିଷ୍ଟିଆନ୍ ଜୋଙ୍କର (୪୯, ୨୪ ବଲ, ୫ ଚୌକା, ୨ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ କରିଥିଲା । ଶେଷ ୩ ଓଭରରୁ ୫୨ ରନ୍ ଆବଶ୍ୟକ କରୁଥିବା ଘରୋଇ ଦଳ ଜୋଙ୍କର ଜରିଆରେ ନିକଟତର ହୋଇଥିଲା ।

ଶେଷ ଓଭରରେ ୧୮ ରନ୍ ଆବଶ୍ୟକ କରୁଥିବା ଡୁମିନିଙ୍କ ଦଳକୁ ଭୁବନେଶ୍ୱର କୁମାର ଜୋଙ୍କରଙ୍କ ଓ୍ଵିକେଟ୍ ସହିତ ୧୦ ରନରେ ସନ୍ତୁଷ୍ଟ ରଖିଥିଲେ । ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହିତ ଭାରତ ମଧ୍ୟ ଏହି ଗସ୍ତରେ ଟ୍ରଫି ବିଜୟକୁ ୨-୧ରେ ଶେଷ କଲା। ଟେଷ୍ଟରେ ୧-୨ରେ ହାରିଥିବା କୋହଲି ସେନା ଦିନିକିଆକୁ ୫-୧ରେ ଜିତିଥିଲା । ସେହିଭଳି ରୋହିତ ଶର୍ମା ତାଙ୍କ ପ୍ରଥମ ଟି-୨୦ ଅଧିନାୟକତ୍ୱରେ ଶୃଙ୍ଖଳା ଜିତିବାରେ ବିଶ୍ୱର ଷଷ୍ଠ ଖେଳାଳି ହେଲେ। ସମ୍ପୂର୍ଣ୍ଣ ଗସ୍ତରେ ଭାରତ ୮ ମ୍ୟାଚ୍ ଜିତିଥିବାବେଳେ ଘରୋଇ ଦଳ ୪ ବିଜୟ ପାଇଥିଲା। ଶୃଙ୍ଖଳା ବିଜୟରେ ମଧ୍ୟ ଭାରତ ଦୁଇ ଗୁଣା ସଫଳତା ପାଇଥିଲା।

ଭାରତ ପାଳିରେ ଅଧିନାୟକ ରୋହିତ ଶର୍ମା (୧୧) ଶସ୍ତାରେ ବିଦାୟ ନେବା ପରେ ଦୁଇ ଥର ଜୀବନ ଦାନ ପାଇଥିବା ଶିଖର ଧାଓ୍ଵନ (୪୭, ୪୦ ବଲ୍, ୩ ଚୌକା) ସର୍ବାଧିକ ରନ୍ କରିଥିଲେ ମଧ୍ୟ ଅର୍ଧଶତକରୁ ବଞ୍ଚିତ ରହିଥିଲେ । ସେ ବ୍ୟକ୍ତିଗତ ଭାବେ ୯ ଏବଂ ୩୪ ରନରେ ଥିବାବେଳେ ତାବ୍ରାଇଜ୍ ସାସମୀ କ୍ୟାଚ୍ ଛାଡ଼ିବାରୁ ସେ ବର୍ତିଯାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ । ସୁରେଶ ରାଇନା (୪୩, ୨୭ ବଲ୍, ୫ ଚୌକା, ୧ ଛକା), ହାର୍ଦିକ ପାଣ୍ଡ୍ୟା (୨୧, ୧୭ ବଲ୍, ୧ ଛକା), ମନୀଷ ପାଣ୍ଡେ (୧୩, ୧୦ ବଲ୍, ୧ ଛକା), ମହେନ୍ଦ୍ର ସିଂହ ଧୋନି (୧୨, ୧୧ ବଲ୍, ୧ ଚୌକା), ଦୀନେଶ କାର୍ତିକ (୧୩, ୬ ବଲ୍, ୩ ଚୌକା) ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିପାରି ନଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୁନିଅର ଡାଲା ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବାବେଳେ କ୍ରିସ୍ ମୋରିସଙ୍କୁ ୨ ଓ୍ଵିକେଟ୍ ମିଳିଥିଲା । ରାଇନାଙ୍କ ଓ୍ଵିକେଟ୍ ନେଇଥିଲେ ସାସମୀ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିଥିଲା । ଆହତ ବିରାଟ କୋହଲିଙ୍କ ବଦଳରେ ଦୀନେଶ କାର୍ତିକ ଖେଳିଥିଲେ । ସେହିଭଳି ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କ ଗସ୍ତର ଶେଷ ମ୍ୟାଚରେ ପ୍ରଥମ ସୁଯୋଗ ମିଳିଥିଲା । ସେହିଭଳି ଜୟଦେବ ଉନାଦକତଙ୍କ ବଦଳରେ ଯଶପ୍ରୀତ ବୁମରା ଖେଳିଥିଲେ । ଦକ୍ଷିଣ ଆଫ୍ରିକା ମଧ୍ୟ ୩ ପରିବର୍ତନ କରି ପଡ଼ିଆକୁ ଆସିଥିଲା