ଏଥର ବଜେଟ୍ ୧.୨ ଲକ୍ଷ କୋଟି ଛୁଇଁପାରେ ! ଚାଷୀ, ଜଳସେଚନ, ଗୃହ ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଦିଆଯିବ ଗୁରୁତ୍ୱ

38

କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଏକ ବଡ଼ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ପ୍ରାରମ୍ଭିକ ଆକଳନ ଅନୁସାରେ, ଏହାର ଆକାର ୧ଲକ୍ଷ ୨୦ ହଜାର କୋଟି ଛୁଇଁପାରେ । ଗତକାଲି ନୂଆଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟର କାର୍ଯ୍ୟକ୍ରମ ଖର୍ଚ୍ଚକୁ ଅନୁମୋଦନ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହାର ଆକାର ପାଖାପାଖି ୬୫ ହଜାର କୋଟିରୁ ଅଧିକ। ବଜେଟରେ ରାଜ୍ୟ ସରକାର ମୁଖ୍ୟତଃ ଗ୍ରାମାଞ୍ଚଳର ବିକାଶ, ଗୃହନିର୍ମାଣ, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଜଳସେଚନକୁ ଗୁରୁତ୍ୱ ଦେବାକୁ ମନସ୍ଥିର କରିଛନ୍ତି । ଏହାବ୍ୟତୀତ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ମିଳିବ ।

ଅନ୍ୟପକ୍ଷରେ ସାଧାରଣ ବଜେଟ୍ ଅନୁମୋଦନ କରିବା ଲାଗି ଆବଶ୍ୟକ ସମୟ ଆଉ ନଥିବାରୁ ରାଜ୍ୟ ସରକାର ୨୦୧୬-୧୭ ଆର୍ଥିକ ବର୍ଷ ଢାଞ୍ଚାରେ ଏଥର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଅର୍ଥାତ୍ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ। କିନ୍ତୁ ମାର୍ଚ୍ଚ ୩୧ ତାରିଖରେ ବିଧାନସଭା ମାତ୍ର ୧ମାସର ବ୍ୟୟଭାରକୁ ଅନୁମୋଦନ କରିବେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୦ ତାରିଖରେ ବିଧାନସଭା ଅଧିବେଶନ ବସିବ ଓ ୨୩ ତାରିଖରେ ବଜେଟ୍ ଉପସ୍ଥାପନ ହୋଇପାରେ। ଖୁବ୍ ଶୀଘ୍ର ଏ ନେଇ ରାଜ୍ୟପାଳଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ ।

ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ଲକ୍ଷ ୬ ହଜାର ୯୧୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହାର ଆକାର ପ୍ରାୟ ୧୩.୭ ପ୍ରତିଶତ ଅଧିକ ଥିଲା । ଏହାବ୍ୟତୀତ ଏହି ବର୍ଷ ପାଇଁ ୯୮୨୮ କୋଟି ୫୭ଲକ୍ଷ ଟଙ୍କାର ଅତିରିକ୍ତ ବଜେଟକୁ ବିଧାନସଭା ଅନୁମୋଦନ ଦେଇଥିଲେ । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବା କାରଣରୁ ରାଜ୍ୟ ସରକାର ଏଥିରେ ସବୁ ବର୍ଗକୁ ତୁଷ୍ଟୀକରଣ ପାଇଁ ଯୋଜନା କରୁଛନ୍ତି । ଏମିତିରେ ବି ରାଜ୍ୟର ଟିକସ ହାର ବେଶ୍ ଉତ୍ସାହଜନକ ରହିଛି । ଖଣି କ୍ଷେତ୍ରରେ ରାଜସ୍ୱ ପାଖାପାଖି ୩୬% ଅଭିବୃଦ୍ଧି ଘଟିଛି । ସେହିଭଳି ଆଇଓସିଏଲ୍ ପ୍ରାପ୍ୟକୁ ବାଦ୍ ଦେଇ ବି ବିକ୍ରିକର କ୍ଷେତ୍ରରେ ଟିକସ ଅଭିବୃଦ୍ଧି ହାର ୧୩% ରହିଛି । ଷ୍ଟାମ୍ପ ଡ୍ୟୁଟିକୁ ଛାଡିଦେଲେ ପୂର୍ବବର୍ଷ ତୁଳନାରେ ବିଭିନ୍ନ ଟିକସ କ୍ଷେତ୍ରରେ ପ୍ରାୟ ଉଲ୍ଲେଖନୀୟ ଅର୍ଥରାଶି ମିଳିବ ବୋଲି ସରକାର ହିସାବ କରୁଛନ୍ତି ।

ଅନ୍ୟପକ୍ଷରେ ଏଥର ବଜେଟରେ କିଛି ଅନୁଦାନ କ୍ଷେତ୍ରରେ କେନ୍ଦ୍ର ସରକାର ପୂର୍ବାପେକ୍ଷା କମ୍ ଅର୍ଥ ଦେବେ । ସେହିଭଳି ଅଳ୍ପ କିଛି ଯୋଜନା ଉପରେ ବି ଅର୍ଥ କାଟ୍ ମାଡ଼ ବସିବ । ହେଲେ ଗୃହ ନିର୍ମାଣ ଭଳି କାର୍ଯ୍ୟକ୍ରମରେ ପୂର୍ବାପେକ୍ଷା ଅଧିକ ଅର୍ଥ ମିଳିବ । ରାଜ୍ୟ ସରକାର ମଧ୍ୟ ୨୦୧୯ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ସଂପର୍କରେ ଘୋଷଣା କରିଛନ୍ତି। ଏଣୁ ଏ କ୍ଷେତ୍ରରେ ଏକ ବଡ଼ ଅର୍ଥ ବରାଦ କରାଯାଉଛି। ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ସେ ବାବଦରେ ଅର୍ଥ ବରାଦ କରୁଛନ୍ତି ସରକାର । ଚାଷୀଙ୍କୁ ପେନସନ୍ ବା ଋଣ ଛାଡ଼ ଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ । କଳାକାର ଭତ୍ତା ଆଦି ବାବଦରେ ଅର୍ଥ ବରାଦ କରାଯିବ । ଘୋଷଣା ହୋଇଥିବା ଜଳସେଚନ ପ୍ରକଳ୍ପ ପାଇଁ ଅର୍ଥ ଦିଆଯିବା ନେଇ ପ୍ରସ୍ତାବ ରହିଛି । ଏହାବ୍ୟତୀତ ଆଉ କିଛି ନୂଆ ଯୋଜନା ସରକାର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି । ଏସବୁକୁ ମିଶାଇଲେ ବଜେଟ୍ ପ୍ରାୟ ୧ଲକ୍ଷ ୨୦ ହଜାର କୋଟି ଛୁଇଁବଯାଉଛି ।କେନ୍ଦ୍ରୀୟ ଢାଞ୍ଚାରେ ଏଥର ମଧ୍ୟ ସମୁଦାୟ ବଜେଟକୁ ପ୍ରଶାସନିକ ଖର୍ଚ୍ଚ, କାର୍ଯ୍ୟକ୍ରମ ଖର୍ଚ୍ଚ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ଏହିଭଳି ମୋଟ ୪ ଭାଗରେ ବିଭକ୍ତ କରାଯାଇ ବଜେଟ୍ ପ୍ରସ୍ତୁତ ହୋଇଛି । ଅର୍ଥବିଭାଗର ଅଧିକାରୀମାନେ ଏହା ଉପରେ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି କାର୍ଯ୍ୟକ୍ରମ ଖର୍ଚ୍ଚ ଅନୁମୋଦନ ପରେ ତୁରନ୍ତ ବିଭାଗମାନଙ୍କୁ ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନ ବିଭାଗ ଜଣାଇ ଦେଇଛି ।

ଉଲ୍ଲେଖଥାଉକି, ଆସନ୍ତା ସୋମବାର ବିଧାନସଭାର ବଜେଟ୍ ଅଧିବେଶନ ନେଇ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇପାରେ । ମାତ୍ର ଯେଉଁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି, ସେ ଅନୁସାରେ, ମାର୍ଚ୍ଚ ୨୦ ତାରିଖରେ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ଅଧିକ । ଅଧିବେଶନର ପ୍ରଥମ ଦିବସରେ ରାଜ୍ୟପାଳ ଡ. ଏସ୍.ସି. ଜମିର ଅଭିଭାଷଣ ପ୍ରଦାନ କରିବେ । ପରବର୍ତ୍ତୀ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରାଯିବ । ୨୩ରେ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ ଓ ୨୪, ୨୬ ଓ ୨୭ ତାରିଖରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ । ସେଥିରେ ୧ମାସ (ଏପ୍ରିଲ) ପାଇଁ ଏକ ସ୍ୱତନ୍ତ୍ର ବ୍ୟୟଭାର ଅନୁମୋଦନ ଲାଗି ୨୮, ୨୯ରେ ଖର୍ଚଦାବି ଆଲୋଚନା ଓ ପାରିତ କରାଯିବ । ୩୧ ତାରିଖରେ ସେହି ଗୋଟିଏ ମାସ ପାଇଁ ବ୍ୟୟମଞ୍ଜୁରି ବିଲକୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ବ୍ୟବସ୍ଥା ରହିଥିବାରୁ ଏପ୍ରିଲ୍ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିପାରେ । ୧୬ ତାରିଖରୁ ଅଧିବେଶନର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ୧୪ ଦିନ ଧରି ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଚାଲିବ । ଏପ୍ରିଲ୍ ୩୧ ତାରିଖ ବେଳକୁ ବଜେଟ୍ ଗୃହୀତ ହେବାର ସମ୍ଭାବନା ରହିଛି । ଏହି ଅଧିବେଶନର କାର୍ଯ୍ୟକାଳ ମଧ୍ୟରେ ୨ଟି ବେସରକାରୀ ଦିବସ ରହିପାରେ । ଏହି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେଲେ ଆସନ୍ତା ମାର୍ଚ୍ଚ ୩ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇପାରେ ।