ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସେପ୍ଟେମ୍ବର ପହିଲାରୁ ନୂଆ ନିୟମ, କାର୍ କିମ୍ବା ବାଇକ କିଣିବା ହେବ ମହଙ୍ଗା

26

କାର୍ ଓ ବାଇକ୍ ଗାଡି କିଣିବାକୁ ମନବଳାଉଛନ୍ତି କି ? ତେବେ ଆସନ୍ତା ମାସ ପହିଲାରୁ କାର୍ ବାଇକ୍ କିଣିବା ହେବ ମହଙ୍ଗା । କାରଣ ଗାଡ଼ି ପାଇଁ ବୀମା ନିୟମ ଆସନ୍ତା ସେପ୍ଟେମ୍ବର ପହିଲାରୁ ବଦଳିଯିବ । ଯେଉଁ ଗ୍ରାହକମାନେ ନୂଆ କାର୍ ଏବଂ ମୋଟର ସାଇକଲ୍ କିଣିବେ ସେମାନଙ୍କୁ ଏକାଥରେ ଅତିକମ୍ରେ ୩ ବର୍ଷ କିମ୍ବା ୫ ବର୍ଷ ପାଇଁ ମୋଟର ବୀମା କିଣିବାକୁ ହେବ। ଗ୍ରାହକମାନଙ୍କୁ ଗାଡ଼ି କିଣିବା ସମୟରେ ବୀମା ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଗାଡ଼ି କିଣିବା ଲାଗି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ସେମାନଙ୍କୁ ପ୍ରତିବର୍ଷ ବୀମା ନବୀକରଣ ଜନିତ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ବିଶେଷ କରି ୧୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଥିବା ପ୍ରାଇଭେଟ୍ କାର୍ ପାଇଁ ଏବେ ବାର୍ଷିକ ବୀମା ପ୍ରିମିୟମ ୭୮୯୦ ଟଙ୍କା ପଡ଼ୁଥିବାବେଳେ ନୂଆ ବ୍ୟବସ୍ଥାରେ ଏଥିପାଇଁ ଅତିକମ୍ରେ ୩ବର୍ଷ ପାଇଁ ଏକକାଳୀନ ୨୪,୩୦୫ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ୩୫୦ ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଥିବା ବାଇକ୍ ପାଇଁ ଏବେ ବୀମା ବାବଦରେ ୨,୩୨୩ ଟଙ୍କା ପ୍ରିମିୟମ ଦେବାକୁ ପଡ଼ୁଥିବା ବେଳେ ସେପ୍ଟେମ୍ବରରୁ ଏଥିପାଇଁ ୧୩,୦୨୪ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଭିନ୍ନ ଭିନ୍ନ ମଡେଲର ଗାଡ଼ି ପାଇଁ ଭିନ୍ନ ଭିନ୍ନ ରାଶିର ବୀମା ପ୍ରିମିୟମ ଦେବାକୁ ହେବ।

ସେହିଭଳି ଦୁଇଚକିଆ ଯାନରେ ୭୫ ସିସି କ୍ଷମତା ବିଶିଷ୍ଟ ବାଇକ୍ ପାଇଁ ଏବେ ବାର୍ଷିକ ବୀମା ପ୍ରିମିୟମ ୪୨୭ଟଙ୍କା ଥିବାବେଳେ ନୂଆବ୍ୟବସ୍ଥା ଅନୁସାରେ ଏହା ୩ ବର୍ଷ ପାଇଁ ଏକକାଳୀନ ୧,୦୪୫ ଟଙ୍କା ଦେବାକୁ ପଡିବ । ତେବେ ୭୫ରୁ ୧୫୦ ସିସି ବାଇକ୍ ପାଇଁ ୭୨୦ଟଙ୍କା ବାର୍ଷିକ ପ୍ରିମିୟମ ଥିବାବେେଳେ ତାହା ୩,୨୮୫ ଟଙ୍କା ଭାବେ ପୈଠ କରିବାକୁ ପଡିବ । ସେହିଭଳି ୩୫୦ ସିସି କ୍ଷମତା ବିଶିଷ୍ଟ ବାଇକ ପାଇଁ ବାର୍ଷିକ ୨,୩୨୩ ଟଙ୍କା ବୀମା ପ୍ରିମିୟମ ଦେବାକୁ ପଡୁଥିବାବେଳେ ଏବେ ଏହା ୧୩,୦୩୪ ଟଙ୍କା ଏକକାଳୀନ ୩ ବର୍ଷ ପାଇଁ ଦେବାକୁ ପଡିବ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜୁଲାଇ ୨୦ ତାରିଖରେ ସୁପ୍ରିମକୋର୍ଟ ଗାଡ଼ିର ତୃତୀୟ ପକ୍ଷ ବୀମା ଅବଧିରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନୂଆ କାର୍ ଓ ବାଇକ୍ ପାଇଁ ଅତିକମରେ ୩ ବର୍ଷ ଓ ୫ ବର୍ଷର ବୀମା ବିକ୍ରି ପାଇଁ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୧ ସୁଦ୍ଧା ଏହି ନୂଆ ନିୟମକୁ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦିଓ ସଡ଼କରେ ଚାଲୁଥିବା ଗାଡ଼ି ପାଇଁ ବୀମା ବାଧ୍ୟତାମୂଳକ ରହିଛି ତଥାପି ଏହାକୁ ଅନେକ ଲୋକ ଏଡ଼ାଇ ଯାଉଛନ୍ତି। ନୂଆ ପଦକ୍ଷେପ ଯୋଗୁଁ ଦେଶରେ ଗାଡ଼ିର ବୀମା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।