ଦେଶର ସବୁଠାରୁ ବଡ ଚାଲାଣ  । ୨କୋଟିର ଗାଡି ପାଇଁ ୨୮ଲକ୍ଷର ଜରିମାନା, ଜାଣନ୍ତୁ କିଏ ଏବଂ କ’ଣ ପାଇଁ ଗଣିଲା ଏତେ ବଡ଼ ଜରିମାନା?

308

କନକ ବ୍ୟୁରୋ: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଗୁଜରାଟରେ ସବୁଠୁ ବଡ ଚାଲାଣ କଟାଯାଇଛି । ଅହମଦାବାଦ ଟ୍ରାଫିକ ପୋଲିସ ଗୋଟିଏ ପୋର୍ଶେ ୯୧୧ ଗାଡି ମାଲିକଙ୍କୁ ୨୭ଲକ୍ଷ ୬୮ହଜାର ଟଙ୍କାର ଚାଲାଣ କାଟିଛି । ମିଳିଥିବା ସୂଚନା ଅନୁସାରେ ଟ୍ରାଫିକ ଯାଂଚ ସମୟରେ ଏକ ପୋର୍ଶେ ୯୧୧ଗାଡିକୁ ଅଟକା ଯାଇଥିଲା । ଏବଂ ଯାଂଚ କରୁ କରୁ ଗାଡିର କାଗଜପତ୍ର ନଥିବା ଜଣାପଡିଥିଲା । ଏପରିକି ଗାଡିର ନମ୍ବର ପ୍ଲେଟ ମଧ୍ୟ ଲାଗିନଥିଲା ।

ଅହମଦାବାଦରେ ଗୋଟିଏ ପୋର୍ଶେ ଗାଡିର ମାଲିକ ରଂଜୀତ ଦେଶାଇ ଟ୍ରାଫିକ ଯାଂଚ ବେଳେ ଗାଡିର କାଗଜପତ୍ର ଦେଇପାରିନଥିଲେ । ଫଳରେ ପୋର୍ଶେ ଗାଡି ଉପରେ ୨୭ଲକ୍ଷ ୬୮ହଜାର ଟଙ୍କାର ଚାଲାଣ କଟାଯାଇଛି । ଏହାପରେ ଗାଡି ମାଲିକ ରଂଜୀତ ଦେଶାଇ ଗାଡିର ବକେୟା ଟିକସ, ସୁଧ ଓ ଜରିମାନା ବାବଦରେ ୨୭ଲକ୍ଷ ୬୮ହଜାର ଟଙ୍କା ଆରଟିଓ ନିକଟରେ ଜମା କରିବା ପରେ ନିଜର ପୋର୍ଶେ ଗାଡିକୁ ଫେରି ପାଇଛନ୍ତି ।

ନଭେମ୍ବର ମାସରେ ଏହି ପୋର୍ଶେ ଗାଡିକୁ ଜବତ କରିଥିଲା ପୁଲିସ । ଅହମଦାବାଦ ପୁଲିସର ଟ୍ୱିଟର ଆକାଉଂଟରୁ ଏହି ଗାଡିର ଜରିମାନା ରସିଦକୁ ସେୟାର କରାଯାଇଛି । ଏହାସହ ୨୭ଲକ୍ଷ ୬୮ହଜାର ଟଙ୍କା ଜରିମାନା ଲାଗିଥିବା ବଡ ବଡ ଅକ୍ଷରରେ ଲେଖାଯାଇଛି । ଏହାକୁ ଦେଶର ସବୁଠୁ ବଡ ଜରିମାନା ବୋଲି କୁହାଯାଉଛି ।