କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ସ୍ୱୟଂ ଭଗବାନ । ପୂର୍ବରୁ ହୁଏତ ଏହିଭଳି ଖବର ଆପଣ କେବେ ଶୁଣିନଥିବେ କି ଦେଖିବିନଥିବେ । କିନ୍ତୁ ମଧ୍ୟପ୍ରଦେଶ ଟିକମଗଡ଼ରୁ ଏହି ଅଭାବନୀୟ ଖବର ସାମ୍ନାକୁ ଆସିବା ଚର୍ଚ୍ଚା ସୃଷ୍ଟି କରିଛି । ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କୁ କାହିଁକି କୋର୍ଟରେ ହାଜର ହେବାକୁ ପଡିଲା, କଥାଟି ଅବିଶ୍ୱସନୀୟ,ଅକଳ୍ପନୀୟ ଲାଗୁଥିଲେ ବି ଏହା ସତ । ପାଲିଙ୍କିରେ ଭଗବାନ ରାଧା-କୃଷ୍ଣଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି ଭକ୍ତ । ଏକ ବିରାଟ ପଟୁଆରରେ ରାଧା-କୃଷ୍ଣଙ୍କୁ କୋର୍ଟ ଅଭିମୁଖେ ନିଆଯାଉଛି । କାରଣ ଏକ ଚୋରି ମାମଲାରେ ସାକ୍ଷୀ ହିସାବରେ ଭଗବାନ ଅଦାଲତରେ ହାଜର ହେବେ । ଏହାପରେ ଆପଣଙ୍କ ମନକୁ କିଛି ପ୍ରଶ୍ନ ନିଶ୍ଚିତ ଭାବେ ଆନ୍ଦୋଳିତ କରୁଥିବ । ହଁ, ଯେ କେହିବି ହେଲେ ଏହି ଦୃଶ୍ୟ ଦେଖିବା ପରେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ।
ସୂଚନା ଅନୁଯାୟୀ ୧୦ ବର୍ଷ ପୂର୍ବେ ଅର୍ଥାତ ୨୦୦୯ରେ ମଧ୍ୟପ୍ରଦେଶ ଟିକମଗଡ଼ ଜିଲ୍ଲା ପୃଥ୍ୱୀପୁର ଗାଁରେ ଥିବା ବିହାରିଜୁ ମହାରାଜ ମନ୍ଦିରରେ ଏହି ରାଧା-କୃଷ୍ଣଙ୍କ ମୂର୍ତି ଚୋରି ହୋଇଥିଲା । ଏହାପରେ ଥାନାରେ ଅଭିଯୋଗ ହେବା ପରେ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରବର୍ତୀ ସମୟରେ ମୂର୍ତି ଠାବ କରାଯାଇ ମନ୍ଦିରର ପୂଜକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ପ୍ରମାଣ ପାଇଁ ଚୋରି ହୋଇଥିବା ମୂର୍ତିକୁ ଅଦାଲତରେ ପ୍ରଦର୍ଶିତ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଫଳରେ ରାଧା କୃଷ୍ଣଙ୍କ ମୂର୍ତିକୁ ନେଇ କୋର୍ଟରେ ପହଂଚିଥିଲେ ଗ୍ରାମବାସୀ ।
ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ବୁଧବାର ଦିନ ରାଧା-କୃଷ୍ଣଙ୍କୁ କୋର୍ଟ ପରିସରକୁ ନିଆଯାଇଥିଲା । କୋର୍ଟରେ ପହିଁଚିବା ଆଗରୁ ମନ୍ଦିରରେ ବିଶେଷ ପୂଜାପାଠ କରାଯାଇଥିଲା । ଏହାପରେ ଗାଁ ଲୋକେ ଭଗବାନଙ୍କୁ କୋର୍ଟ ପରିସରକୁ ନେଇଥିଲେ । ତେବେ ହାଜର ହେବା ମାତ୍ରେ ବିଚାରପତି ପ୍ରଥମେ ଭଗବାନଙ୍କୁ ପ୍ରଣାମ ଜଣାଇଥିଲେ । ଏହାପରେ ଶୁଣାଣି ଶେଷ ହେବା ପରେ ପୁନଃ ଭଗବାନଙ୍କୁ ମନ୍ଦିରକୁ ଅଣାଯାଇଥିଲା ।