ଘାଟିରେ ବିଦେଶୀ ପ୍ରତିନିଧି ଦଳ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଅପସାରଣ ହେବା ପରେ ସ୍ଥିତିର ସମୀକ୍ଷା କଲେ ୧୫ଟି ରାଷ୍ଟ୍ରର ପ୍ରତିନିଧି ।

279

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ବିଦେଶୀ ପ୍ରତିନିଧି । ଗତବର୍ଷ ଅଗଷ୍ଟ ୫ତାରିଖରେ ଘାଟିରୁ ଧାରା ୩୭୦ ଅପସାରଣ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟିବା ପରେ ସ୍ଥିତିର ସମୀକ୍ଷା କରିଛନ୍ତି ଏହି ପ୍ରତିନିଧି ଦଳ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସମେତ ୧୫ଟି ଦେଶର ପ୍ରତିନିଧି ଘାଟି ଗସ୍ତ କରିଛନ୍ତି । ଶ୍ରୀନଗରରେ ପହଂଚିବା ପରେ ପ୍ରଥମେ ଲେଫ୍ଟନାଂଟ ଜେନେରାଲ କେଜେଏସ ଢିଲୋଁ ପ୍ରତିନିଧି ଦଳକୁ ସୁରକ୍ଷା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଅପସାରଣ ହେବା ପରେ ଶାନ୍ତି ବଜାୟ ରଖିବା ପାଇଁ କଣ ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ଘାଟିରେ ପହଂଚିଛନ୍ତି ଏହି ପ୍ରତିନିଧି ଦଳ । ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ଶ୍ରୀନଗରର ଆଖପାଖ ଅଂଚଳର ପଂଚାୟତ ପ୍ରତିନିଧିଙ୍କୁ ଭେଟିଛନ୍ତି ବିଦେଶୀ ପ୍ରତିନିଧି । ଏହାସହ ଏନଜିଓ ଗୁଡିକ ସହ ମଧ୍ୟ ଆଲୋଚନା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୫ ପରେ ଘାଟିରେ ହିଂସା ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ପ୍ରତିନିଧି । ଏବଂ ଏନେଇ ପ୍ରତିନିଧି ଦଳକୁ ଅବଗତ କରାଇଛନ୍ତି । ଏହାସହ ସ୍ଥାନୀୟ ଲୋକେ କିଛି ସମସ୍ୟାର ସମ୍ମୁଖିନ ହେଉଥିଲେ ସୁଧା ଶାନ୍ତିଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଏହା ଆବଶ୍ୟକ ବୋଲି ସ୍ଥାନୀୟ ପ୍ରତିନିଧି କହିଛନ୍ତି ।

ଅପରପକ୍ଷରେ ବିଦେଶୀ ପ୍ରତିନିଧିଙ୍କ କାଶ୍ମୀର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦେଶର ନେତାଙ୍କୁ କାଶ୍ମୀର ଯିବାକୁ ବାରଣ କରାଯାଉଥିବା ବେଳେ ବିଦେଶୀ ପ୍ରତିନିଧି ଦଳକୁ କିପରି କାଶ୍ମୀର ଯିବାକୁ ଅନୁମତି ମିଳିଲା ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ କରିଛନ୍ତି । ଆମେରିକା, ଆର୍ଜେଂଟିନା, ଦକ୍ଷିଣ କୋରିଆ, ଉଜବେକିସ୍ତାନ, ବାଂଲାଦେଶ, ନରୱେ, ମାଳଦ୍ୱୀପ ଓ ମରକ୍କୋ ପରି ରାଷ୍ଟ୍ରର ପ୍ରତିନିଧି ଶ୍ରୀନଗର ଗସ୍ତ କରି ଘାଟିରେ ସ୍ଥିତିର ସମୀକ୍ଷା କରିଛନ୍ତି ।