ଟିମ୍ ଇଣ୍ଡିଆର ପେସ ବାହିନୀ ଆଗରେ ମୁଣ୍ଡ ନୁଆଁଇଲା ଦକ୍ଷିଣ ଆଫ୍ରିକା! ୧୩୦ ରନରେ ଚିତପଟାଙ୍ଗ ମାରିଲା ଘରୋଇ ଦଳ । ଭାରତ ପାଇଁ ୨୦୮ ରନର ଟାର୍ଗେଟ

59

କନକ ବ୍ୟୁରୋ : ରୋମାଞ୍ଚକ ମୋଡରେ କେପଟାଉନ ଟେଷ୍ଟ । ଟିମ ଇଣ୍ଡିଆ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ମାତ୍ର ୧୩୦ ରନରେ ଅଲଆଉଟ ହୋଇଛି ଘରୋଇ ଟିମ ଦକ୍ଷିଣ ଆଫ୍ରିକା । ଫଳରେ ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଟିମ ଇଣ୍ଡିଆ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମ ଟେଷ୍ଟ ସମାପ୍ତ ହେବାକୁ ଆହୁରି ଗୋଟିଏ ଦିନ ବାକି ଥିବା ବେଳେ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି ହୋଇଛି । ଭାରତର ପେସବାହିନୀ ଆଗରେ ଆତ୍ମସମର୍ପଣ କରିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ । କେବଳ ଡି ଭିଲିୟର୍ସ ଶେଷ ଯାଏଁ ଲଢିଥିଲେ ମଧ୍ୟ ତାହା ଦଳ ପାଇଁ ଯଥେଷ୍ଟ ନଥିଲା ।

୬୫ ରନରେ ଦୁଇ ୱିକେଟ ହରାଇ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଚାଲିଥିଲା । ଏପରିକି ଦଳର ୬ ଜଣ ବ୍ୟାଟସମ୍ୟାନ ଦୁଇଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ମହମ୍ମଦ ସାମି ଓ ଯଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରକାର ଟପ୍ ଅର୍ଡର ବ୍ୟାଟସମ୍ୟାନ । ବୁମରାହ ଓ ଯଶପ୍ରୀତ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକା ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।

ଦକ୍ଷିଣ-ଆଫ୍ରିକା ଟସ ଜିତି ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୮୬ ରନରେ ଅଲଆଉଟ ହୋଇଥିଲା । ତେବେ ପ୍ରଥମ ଇନିଂସରେ ଭାରତ ମଧ୍ୟ ସେହିଭଳି ଖାସ ପ୍ରଦର୍ଶନ କରିପାରିନଥିଲା । ଦକ୍ଷିଣ -ଆଫ୍ରିକା ବୋଲରଙ୍କ ଘାତକ ବୋଲିଂ ହାତ ଟେକି ଦେଇଥିଲେ ଭାରତର ଟପ ଅର୍ଡର ବ୍ୟାଟସମ୍ୟାନ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୯୩ ରନର ଇନିଂସ ବଳରେ ଭାରତ ୨୦୦ ରନ ପାର କରିଥିଲା । ତେବେ ହାର୍ଦ୍ଦିକଙ୍କ ୱିକେଟ ପତନ ପରେ ଭାରତ ୨୦୯ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଦକ୍ଷିଣ-ଆଫ୍ରିକାର ବ୍ୟାଟିଂ ବିପଯ୍ୟୟ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଛି ।