ସୁନ୍ଦରଗଡରେ ସର୍ପାଘାତରେ ଭାଇ ଭଉଣୀଙ୍କ ମୃତ୍ୟୁ । ରାଜ୍ୟରେ ବଢୁଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା । ୩ ବର୍ଷରେ ଗଲାଣି ୨୨୧୭ ଜୀବନ

255

କନକ ବ୍ୟୁରୋ: ସାପ କାମୁଡାରେ ଗଲା ଭାଇ ଭଉଣୀଙ୍କ ଜୀବନ । ସୁନ୍ଦରଗଡ ସଦର ଥାନା ସୁବଲୟା ଗାଁରେ ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ତେବେ ଘରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ସାପ କାମୁଡିବା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ତେବେ ବର୍ତ୍ତମାନ ସାପ କାମୁଡାରେ ଅଧିକ ଜୀବନ ଯାଉଛି । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି କି ଗତ ୩ ବର୍ଷରେ ୨୨୧୭ ଜଣଙ୍କ ମୃତ୍ୟୁ ହୋଇଛି ।

୩ ବର୍ଷ ମଧ୍ୟରେ ଅର୍ଥାତ ୨୦୧୬ରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ସର୍ପାଘାତ, ବଜ୍ରାଘାତ ଓ ପାଣିରେ ବୁଡିଯିବା କାରଣରୁ ଅନେକଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ୧୨୫୯ ଓ ପାଣିରେ ବୁଡି ୨୧୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାପ କାମୁଡାରେ ସବୁଠାରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସର୍ପାଘାତରେ ୩ ବର୍ଷ ମଧ୍ୟରେ ଓଡିଶାରେ ୨୨୧୭ ଜଣଙ୍କ ପ୍ରାଣହାନୀ ହୋଇଛି ।

ତେବେ ୨୦୧୬ରୁ ଏଯାବତ ସାପକାମୁଡାରେ ୨୨୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭-୧୮ ବର୍ଷରେ ସର୍ବାଧିକ ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ୩ ବର୍ଷ ମଧ୍ୟରେ ସାପ କାମୁଡାରେ ମୃତକଙ୍କ ସଂଖ୍ୟା ମୟୂରଭଞ୍ଜ ଜିଲ୍ଲାର ସବୁଠୁ ଅଧିକ ରହିଛି । ମୟୂରଭଞ୍ଜରେ ୨୦୮, ବାଲେଶ୍ୱର- ୨୦୪, ଗଞ୍ଜାମ- ୧୯୩, କେନ୍ଦୁଝର- ୧୬୩, ଭଦ୍ରକ- ୧୩୫, ଯାଜପୁର- ୧୧୬ ଏବଂ ଅନୁଗୁଳ-ଢେଙ୍କାନାଳରେ ୧୦୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି ।