ଆଜି ସରୁଛି ଗୁଜରାଟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ୧୯ ଜିଲ୍ଲାର ୮୯ ଆସନରେ ଶନିବାର ଭୋଟ

46

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷଦିନ । ଆଜି ସନ୍ଧ୍ୟା ୫ଟା ପରେ ଆଉ ପ୍ରଚାର କରିପାରିବେନି ନେତା । ଆସନ୍ତା ୯ ତାରିଖରେ ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୪ ତାରିଖରେ ହେବାକୁ ଯାଉଛି । ହେଲେ ନିର୍ବାଚନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ତରଫରୁ କରିଥିବା ପୂର୍ବ ଆକଳନ ଅନୁସାରେ ଏଥର ମଧ୍ୟ ଗୁଜରାଟରେ ସରକାର ଗଢିବ ଭାରତୀୟ ଜନତା ପାର୍ଟି । ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ସର୍ଭେ ରିପୋର୍ଟ କହୁଛି ।

ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ଜାତିଗତ ସମୀକରଣର ରାଜନୀତି । କଂଗ୍ରେସ ପଟ୍ଟିଦାର, ଦଳିତ ଓ ପଛୁଆ ବର୍ଗଙ୍କୁ ନିଜ ଶିବିରରେ ସାମିଲ କରି ଏଥର ନିର୍ବାଚନ ଲଢୁଛି । ସେହିପରି ନୋଟବନ୍ଦୀ, ଜିଏସଟି ଯୋଗୁଁ ବିଜେପି ବିରୋଧରେ ଜନମତ ଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ସେହିପରି ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ କଂପାନୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ କଂପାନୀର ଅର୍ଥକାରାବାରକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟ ବିଜେପି ବିରୋଧ ହାୱା ସୃଷ୍ଟି କରିଛି ।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଯାଉଥିବା ରାହୁଲ ଗାନ୍ଧୀ ପୁରା ଦମରେ ଗୁଜରାଟରେ ପ୍ରଚାର କରୁଛନ୍ତି । ରାହୁଲ ଗାନ୍ଧୀ ପୂର୍ବ ଅପେକ୍ଷା ଅଧିକ ରାଜନୈତିକ ପରିପକ୍ୱତା ଦେଖିବାକୁ ମିଳୁଛି ଗୁଜରାଟ ନିର୍ବାଚନରେ ।ସେପଟେ ଗୁଜରାଟ ମଇଦାନରେ ପୁଣିଥରେ ଗର୍ଜିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ନିର୍ବାଚନ ପାଇଁ ମାରାଥନ ପ୍ରଚାର କରି ମୋଦି ଟାର୍ଗେଟ କରିଛନ୍ତି କଂଗ୍ରେସକୁ । ମୋଦି କହିଛନ୍ତି କଂଗ୍ରେସ ବଂଶବାଦର ପୋଲ ଖୋଲିଛନ୍ତି କଂଗ୍ରେସ ନେତା ଶେହଜାଦ ପୁନା ୱାଲା । ସେହିପରି ଗାନ୍ଧୀ ପରିବାର ଆମ୍ବେଦକର ଓ ସର୍ଦ୍ଦାର ପଟେଲଙ୍କ ପ୍ରତି ଅନ୍ୟାୟ କରିଥିବା ମୋଦି ଆରୋପ ଲଗାଇଛନ୍ତି ।

ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ମନ୍ଦିର ଯିବାକୁ ମଧ୍ୟ ବ୍ୟଙ୍ଗ କରିଛନ୍ତି ମୋଦି । ସେ କହିଛନ୍ତି ମନ୍ଦିର ଗଲେ ଅଂଚଳରେ ବିଦ୍ୟୁତ ଯୋଗାଣ ହୋଇଯାଏନାହିଁ । ନିର୍ବାଚନୀ ବାତାବରଣ ସରଗରମ ଥିବା ବେଳେ ମୋଦି ମାତ୍ର ଅଳ୍ପ ଦିନରେ ୧୧ ରୁ ଅଧିକ ରାଲି କରିସାରିଲେଣି । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରୁଥିବାବେଳେ ମୋଦି କିଛି ରାଲିରେ ସମ୍ବୋଧନ କରିବେ ।

ସେପଟେ ଭୁଲ ଟ୍ୱିଟ ପାଇଁ କ୍ଷମା ମାଗିଲେ ରାହୁଲ ଗାନ୍ଧୀ । ରାହୁଲ ଟ୍ୱିଟ କରି ବିଜେପି ଆଡ଼କୁ ବ୍ୟଙ୍ଗବାଣ ଛାଡ଼ଥିଲୋ ରାହୁଲ କହିଥିଲେ , ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ନୁହନ୍ତି ବରଂ ଜଣେ ମଣିଷ । ଭୁଲ ମଣିଷ ହିଁ କରିଥାଏ ଓ ସମାଲୋଚନା କରିଥିବାରୁ ବିଜେପିକୁ ଧନ୍ୟବାଦ କହିଛନ୍ତି ରାହୁଲ । ସମାଲୋଚନା ଯୋଗୁ ସେ ପରିପକ୍ୱ ହୋଇଥିବା କହିଛନ୍ତି । ମଙ୍ଗଳବାରଦିନ ରାହୁଲ ନିଜ ଟ୍ୱିଟରେ ୨୦୧୪ରୁ ୧୭ ମଧ୍ୟରେ ଦରବୃଦ୍ଧି ଘଟିଥିବା ସିଲିଣ୍ଡର, ଡାଲି, ପିଆଜ, ଟମାଟୋ ଓ ଡିଜେଲର ଦର ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ତଥ୍ୟରେ ଭୁଲ ଥିବାରୁ ରାହୁଲଙ୍କୁ ବିଜେପି ସମାଲୋଚନା କରିଥିଲା । ପରେ ବାଧ୍ୟ ହୋଇ ରାହୁଲ ଟ୍ୱିଟକୁ ହଟାଇଦେଇଥିଲେ ।