୨୪ ବର୍ଷ ପରେ ଆସିଲା ମୁମ୍ବାଇ ବିସ୍ଫୋରଣର ରାୟ ! ଆବୁ ସାଲେମଙ୍କୁ ଆଜୀବନ କାରାଦଣ୍ଡର ସଜ୍ଜା

49

କନକ ବ୍ୟୁରୋ : ୨୪ବର୍ଷ ପରେ ୨୫୭ ମୃତ୍ୟୁର ହିସାବ କରିଛନ୍ତି ମୁମ୍ବାଇ ସ୍ୱତନ୍ତ୍ର ଟାଡା କୋର୍ଟ । ୧୯୯୩ ବୋମା ବିସ୍ଫୋରଣ ମାମଲାରେ ତାହିର ମରଚେଂଟ ଓ ଫିରୋଜକୁ ଫାଶୀ ଦଣ୍ଡାଦେଶ ହୋଇଛି । ସେହପିରି ଅଣ୍ଡରୱାର୍ଲ୍ଡ ଡନ ଅବୁ ସାଲେମ ଓ କରିମୁଲା ଖାନକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହା ସହ ରିଆଜ ସିଦିକିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । କରିମୁଲା ଖାନକୁ ଆଜୀବନ ୨ ଲକ୍ଷ ଟଙ୍କାର ଜରିମାନା ବି କରିଛନ୍ତି କୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ମୁସ୍ତଫା ଦୋଷାରର ପୂର୍ବରୁ ମୃତ୍ୟୁ ହୋଇସାରିଛି । ପାଂଚ ଦୋଷୀଙ୍କ ମଧ୍ୟରୁ ୩ଜଣଙ୍କୁ ଫାଶୀ ଦଣ୍ଡାଦେଶ ଓ ୨ଜଣଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ସିବିଆଇ ଦାବି କରିଥିଲା । ମୁମ୍ବାଇ ବିସ୍ଫୋରଣ ମାମଲାରେ ୨୪ ବର୍ଷ ପରେ ଆବୁ ସାଲେମ ସମେତ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

୧୨ ମାର୍ଚ୍ଚ, ୧୯୯୩
ପ୍ରଥମ ଧମାକା : ଦିନ ୧.୩୦ – ମୁମ୍ବାଇ ଷ୍ଟକ ଏକ୍ସଚେଂଜ
ସବୁଦିନ ଦିନ ଭଳି ମୁମ୍ବାଇ ଷ୍ଟକ ଏକ୍ସଚେଂଜରେ ଲାଗି ରହିଥିଲା ଗହଳି ଚହଳି । ଏହି ସମୟରେ ପାର୍କିଂ ହୋଇଥିବା କାରରେ ହେଲା ବିସ୍ଫୋରଣ । ଆରଡିଏକ୍ସର ଧମାକାରେ ଟଳି ପଡିଲେ ୮୪ ଜଣ ।

ଦ୍ୱିତୀୟ ଧମାକା : ଅପରାହ୍ନ ୨.୧୫ – ନର୍ସି ନାଥ ଷ୍ଟ୍ରିଟ୍
ପ୍ରଥମ ବିସ୍ଫୋରଣର ୪୫ ମିନିଟ ପରେ ନର୍ସି ନାଥ ଷ୍ଟ୍ରିଟରେ ଫୁଟିଲା ବୋମା । ଏହି ବିସ୍ଫୋରଣରେ ମୃତ୍ୟୁ ହେଲା ୫ ଜଣଙ୍କର ।

ତୃତୀୟ ଧମାକା : ଅପରାହ୍ନ ୨.୩୦ – ଶିବସେନା ଭବନ
୪ ଜଣ ଶୋଇଗଲେ ଚିର ନିଦ୍ରାରେ । ଆତଙ୍କବାଦୀଙ୍କ ତୃତୀୟ ଟାର୍ଗେଟରେ ଥିଲା ଶିବସେନା ଭବନ । ଏଥିରେ ମୃତ୍ୟୁ ହୋଇଥିଲା ୪ ଜଣଙ୍କର ।

ଚତୁର୍ଥ ଧମାକା : ଅପରାହ୍ନ ୨.୩୩ – ଏୟାର ଲାଇନ୍ସ ବିଲ୍ଡିଂ

ତୃତୀୟ ବିସ୍ଫୋରଣର ମାତ୍ର ୩ ମିନିଟ ପରେ ହେଲା ଚତୁର୍ଥ ଧମାକା । ୨୦ ଜଣଙ୍କ ଜୀବନ ନେଇଥିଲା ଏହି ବିସ୍ଫୋରଣ ।

ପଂଚମ ଧମାକା : ଅପରାହ୍ନ ୨.୪୫ – ଓର୍ଲି ସେଂଚୁରୀ ବଜାର
ପଂଚମ ଧମାକା ଥିଲା ସବୁଠୁ ଶକ୍ତିଶାଳୀ । ୧୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏହି ବିସ୍ଫୋରଣରେ । ମାତ୍ର ୨ ଘଂଟା ଭିତରେ ମୁମ୍ବାଇ ଛାତି ଉପରେ ହୋଇଥିଲା ଲାଗ ଲାଗ ୧୨ଟି ବିସ୍ଫୋରଣ । ସାରା ଦେଶ ଧରି ଉଠିଥିଲା, ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା ଦେଶର ବାଣିଜ୍ୟିକ ରାଜଧାନୀ । ୨୫୭ ଜଣ ଶୋଇଗଲେ ଚିର ନିଦ୍ରାରେ । ଆହତ ହୋଇଥିଲେ ୭୧୩ ଜଣ । ପୋଡି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର ସଂପତି । ସ୍କୁଟର ଓ କାରରେ ଖଂଜା ହୋଇଥିଲା ମୃତ୍ୟୁର ବାରୁଦ ।

୨୪ ବର୍ଷ ପରେ..
ସଜ୍ଜା ଶୁଣାଇଲେ ସ୍ୱତନ୍ତ୍ର ଟାଡା କୋର୍ଟ
ଗତ ଜୁନ ୧୬ ତାରିଖରେ ୫ ଜଣ ଦୋଷୀ ସାବ୍ୟସ୍ତ ହେବା ପରେ ରାୟ ଶୁଣାଇଛନ୍ତି କୋର୍ଟ । ମାଷ୍ଟର ମାଇଣ୍ଡ ଆବୁ ସଲେମ ଓ କରିମୁଲ୍ଲା ଖାନuê ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୫ରେ ପର୍ତୁଗାଲ ପ୍ରତ୍ୟାର୍ପଣ କରିଥିଲା ଆବୁ ସଲେମକୁ । ପ୍ରତ୍ୟାର୍ପଣ ଚୁକ୍ତି ଯୋଗୁଁ ମୃତ୍ୟୁଦଣ୍ଡରୁ ବର୍ତି ଯାଇଛି ମୃତ୍ୟୁର ସୌଦାଗର ଆବୁ ସଲେମ । ହେଲେ ତହେର ମର୍ଚ୍ଚାଂଟ ଏବଂ ଫିରୋଜ ଖାନକୁ ଦିଆଯାଇଛି ଫାଶି ଦଣ୍ଡ । ସେହିପରି ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ଅଭିଯୋଗରେ ରିୟାଜ୍ ସିଦ୍ଦିକକୁ ହୋଇଛି ୧୦ ବର୍ଷ ଜେଲ୍ ।