ଦିଲ୍ଲୀରେ ବାଣ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ! ଜଳିଗଲେ ୧୭ ଜଣ, ୧୫ ଆହତ

22

କନକ ବ୍ୟୁରୋ: ଦିଲ୍ଲୀର ବୱାନା ଶିଳ୍ପାଂଚଳରେ ଥିବା ଏକ ୩ ମହଲା ବାଣ କାରାଖାନାରେ ଅଗ୍ନିକାଣ୍ଡ ଘଟି ୧୭ ଜଣ ପ୍ରାଣ ହରାଇଛନ୍ତି । ଆହୁରି ୧୫ ଜଣ ଆହତ ହୋଇଛନ୍ତି । ବିଦ୍ୟୁତ୍ ସଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

 

 

ସୂଚନା ମୁତାବକ, ସନ୍ଧ୍ୟା ୬ଟା ୨୦ ମିନିଟରେ ବଓ୍ଵାନା ଶିଳ୍ପାଞ୍ଚଳର ଏଫ୍ ବ୍ଲକରେ ଥିବା ଏହି କାରଖାନରେ ନିଆଁ ଲାଗିଥିବା ଖବର ମିଳିଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ି ନଥିବା ବେଳେ ଶ୍ରମିକମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା କୁହାଯାଉଛି । କାରଖାନାର ଗ୍ରାଉଣ୍ଡ ଫ୍ଲୋରେ ପ୍ରଥମେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ପ୍ରଥମେ ବଡ଼ ଧରଣର ହୋଇ ନଥିଲେ ମଧ୍ୟ ବିସ୍ଫୋରଣ ଯୋଗୁଁ ଏହା ଭୟଙ୍କର ହୋଇପଡ଼ିଥିଲା। ଦେଖୁଦେଖୁ ନିଆଁ ପ୍ରଥମ ମହଲା ଏବଂ ବେସମେଣ୍ଟକୁ ବ୍ୟାପିଯାଇଥିଲା। କେତେକ ଲୋକ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିବା ବେଳେ ଅନ୍ୟ କେତେକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କେତେକ ଲୋକ ବାହାରି ନପାରି ଉପର ମହଲାରୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି।

 

 

ଅଗ୍ନିକାଣ୍ଡ ଖବର ପାଇ ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ ୧୭ଟି ମୃତଦେହ ଉଦ୍ଧାର କରିଥିବା ବିଭାଗୀୟ ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି। ପ୍ରଥମ ମହଲାରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ମହଲାରୁ ୩ ଜଣଙ୍କ ଶବ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆହତଙ୍କ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ନିଆଯାଉଛି ।