କନକ ବ୍ୟୁରୋ: ଆଜି ଏକାଠି ହେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂରାତନ ଛାତ୍ର । ରେଭେନ୍ସାକୁ ୧୫୦ବର୍ଷ ପୂରିଥିବା ବେଳେ ପ୍ରଥମଥର ପାଇଁ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କ ସମାଗମ ହେଉଛି । ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ରେଭେନ୍ସା ପରିସରରେ ଥିବା ମୁକ୍ତ ମଂଚ ପ୍ରସ୍ତୁତ ହୋଇଛି । ଏପର୍ଯ୍ୟନ୍ତ ୩ଶହରୁ ଅଧିକ ପୁରୁଣା ଛାତ୍ରଛାତ୍ରୀ ପଞ୍ଜିକରଣ କରିସାରିଛନ୍ତି ।
ରେଭେନ୍ସାରେ ପାଠପଢି ଅନେକ ଛାତ୍ରଛାତ୍ରୀ ବିରଳ କୃତୀତ୍ୱର ଅଧିକାରୀ ହୋଇପାରିଛନ୍ତି । ତେଣୁ ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୫୦ ଜଣଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ରହିଛି । ଆଜିର ବନ୍ଧୁ ମିଳନରେ ପୂରାତନ ଛାତ୍ରସଂଘ କିଛି ବିଶେଷ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଛନ୍ତି ରେଭେନ୍ସା ପୂରାତନ ଛାତ୍ର ସଂଘର ସଭାପତି ତଥା ସମ୍ବାଦର ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
ସକାଳ ୧୦ଟାରେ ପଞ୍ଜୀକରଣ ଆରମ୍ଭ ହେବ। ସାଢ଼େ ୧୦ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୧ଟାରେ ରେଭେନ୍ସା ଗୌରବ ସମ୍ମାନ ପ୍ରଦାନ କରାଯିବ। ସେହିପରି ୧୨ଟା ୩୦ରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରେ ମଧ୍ୟାହ୍ନ ଭୋଜନରେ ଅତିଥିମାନେ ଯୋଗଦେବେ ।ରେଭେନ୍ସାର ବିଶିଷ୍ଟ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସ, ବିଶିଷ୍ଟ କବି ରମାକାନ୍ତ ରଥ, ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତୀ ହେଜମାଦି, ପୂର୍ବତନ କୁଳପତି ଦେବଦାସ ଛୋଟରାୟ, ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍ଗୋ, ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା.ସନାତନ ରଥ, ଜଷ୍ଟିସ୍ ବିମଳ ପ୍ରସାଦ ଦାସ, ବିଶିଷ୍ଟ ବୈଜ୍ଞାନିକ ଯୋଗେଶ ଚନ୍ଦ୍ର ପତି, ପୂର୍ବତନ ପୁଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହପାତ୍ରଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର ସହମତି ପ୍ରଦାନ କରିଛନ୍ତି। ଏହି ମହାମିଳନରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବା ପାଇଁ ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।