ଭୁବନେଶ୍ୱରରେ ହୋଟେଲ ରୁମର ଦାମ ଦିନକୁ ପାଖାପାଖି ଦେଢ ଲକ୍ଷ । ମେକ୍ ଇନ୍ ଓଡିଶା ଚାଲିଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ଚୁନା ଲଗାଇଲେ ହୋଟେଲ କର୍ତ୍ତୃପକ୍ଷ

6,956

କନକ ବ୍ୟୁରୋ : ଅତିଥି ଦେବୋ ଭବଃ । ଭାରତୀୟ ସଂସ୍କୃତିରେ ଅତିଥି ମାନଙ୍କୁ ଦେବତା ଭଳି ପୂଜା କରାଯାଇଥାଏ । କିନ୍ତୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅତିଥି ରୂପି ଦେବତାଙ୍କୁ ଠକିବାକୁ ପଛାଉନାହାନ୍ତି କିଛି ଲାଭଖୋର ବ୍ୟବସାୟୀ । ହସ ହସ ମୁହଁରେ ଦେବତା ରୂପି ଅତିଥିଙ୍କୁ କିଛି ସଂସ୍ଥା ଏମିତି ଭାବରେ ଲୁଟିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଭୁବନେଶ୍ୱରର ଏକ ଚାରି ତାରକା ହୋଟେଲରେ ଗୋଟିଏ ରାତିର ଭଡା ୧,୩୨,୦୦୦ ଟଙ୍କା । କିଛି ଏଭଳି ଢଙ୍ଗରେ ଜଣେ ବିଦେଶୀ ଅତିଥିଙ୍କୁ ଲୁଟିଛି ରାଜଧାନୀର ଏକ ଜଣାଶୁଣା ହୋଟେଲ ।

ଭୁବନେଶ୍ୱରର ଏକ ନିଦ୍ଦିଷ୍ଟ ଚାରିତାରକା ହୋଟେଲରେ ଦିନଟିଏ ରହିବାକୁ ହେଲେ ପର୍ଯ୍ୟଟକଙ୍କୁ ଦେବାକୁ ପଡୁଛି ଲକ୍ଷାଧିକ ଟଙ୍କା । ଏଭଳି ଏକ ସାଂଘାତିକ ଘଟଣା ଏବେ ସାମ୍ନାକୁ ଆସିଛି । ଓଡିଶାକୁ କିଛି କାମରେ ସ୍ୱିଡେନରୁ ଆସିଥିବା ଏକ ବ୍ୟକ୍ତି ସାଂଘାତିକ ଠକେଇର ଶିକାର ହୋଇଛନ୍ତି । ସ୍ୱିଡେନରୁ ଆସିଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରରେ ପହଞ୍ଚିବା ପରେ ଖାରବେଳନଗର ଅଞ୍ଚଳରେ ଥିବା ଏକ ଚାରିତାରକା ହୋଟେଲରେ ରହିଥିଲେ । କିନ୍ତୁ ହୋଟେଲରେ ରହିବା ଯେ ତାଙ୍କୁ ମହଙ୍ଗା ପଡିବ ଏକଥା ଜାଣିନଥିଲେ ଉକ୍ତ ବିଦେଶୀ ପର୍ଯ୍ୟଟକ ଜଣକ ।

ହୋଟେଲରେ କିଛି ଘଣ୍ଟାର ରହଣି ପାଇଁ ଉକ୍ତ ବିଦେଶୀ ବ୍ୟକ୍ତିଙ୍କୁ ଦେବାକୁ ପଡିଥିଲା ୧,୩୨,୦୦୦ ଟଙ୍କା । ଯାହା ଜାଣିବା ପରେ ଆଶ୍ଚଯ୍ୟ ହୋଇଯାଇଥିଲେ ବିଦେଶୀ ପର୍ଯ୍ୟଟକ ଜଣକ । ହୋଟେଲ ତରଫରୁ ଯେଉଁ ବିଲ୍ ଦିଆଯାଇଥିଲା ସେଥିରେ ରହଣି ବାବଦକୁ ଲକ୍ଷେ ୩ ହଜାରରୁ ଅଧିକ ଟଙ୍କା ଉଲ୍ଲେଖ ଥିବା ବେଳେ ରାଜ୍ୟ ଓ କେନ୍ଦ୍ର ଜିଏସଟି ବାବଦକୁ ୧୪ ହଜାର ଟଙ୍କା ଲେଖାଏଁ ଉଲ୍ଲେଖ ରହିଥିଲା ।ତେବେ ଏହି ହୋଟେଲରେ ଦିନଟିଏ ରହିବା ପାଇଁ ସର୍ବାଧିକ ୬୦୦୦ ଟଙ୍କା ଦେବାକୁ ପଡୁଥିବା ଉକ୍ତ ହୋଟେଲର ସାଇଟରେ ଉଲ୍ଲେଖ ରହିଛି । କିନ୍ତୁ ବିଦେଶୀ ବ୍ୟକ୍ତି ଜଣକ କିଛି ଘଣ୍ଟାର ରହଣି ପାଇଁ ୧,୩୨,୦୦୦ ଟଙ୍କା ବିଲ ପୈଠ କରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିଦେଶୀ ବ୍ୟକ୍ତିଙ୍କୁ ଠକିବା ପରେ ହୋଟେଲ କର୍ମଚାରୀ ମାନେ ଖୁସି ହୋଇ ପାର୍ଟି କରିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଫେସବୁକରେ ପୋଷ୍ଟ ହୋଇଥିବା ଏହି ଫଟୋରେ ଉକ୍ତ ହୋଟେଲର କର୍ମଚାରୀ ମାନେ ପାର୍ଟି କରୁଥିବା ଦେଖିବାକୁ ମିଳିଛି । ଏପରିକି କ୍ୟାପସନରେ ଗୋଟିଏ ରୁମକୁ ଏକ ଲକ୍ଷ ୩୨ ହଜାର ଟଙ୍କାରେ ବିକ୍ରି କରିଥିବା ଲେଖାଯାଇଛି । ଯାହା ଉକ୍ତ ହୋଟେଲ ପାଇଁ ଏକ ବଡ ଉପଲବ୍ଧି ଓ ଏହା ଭୁବନେଶ୍ୱର ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛି ବୋଲି ଉଲ୍ଲେଖ ରହିଛି ।

ତେବେ ଖାରବେଳନଗର ଥାନା ଅଧିକାରୀଙ୍କୁ ଏ ବାବଦରେ ପଚାରିବାରୁ ସେ ଏହି ଘଟଣା ସର୍ମ୍ପକରେ ଆଦୌ ଜାଣିନଥିବା କହିଛନ୍ତି । ଏପରିକି ଏହି କଥା କେମିତି ଆମେ ଜାଣିଲୁ ତାହା ସେ ଜାଣିବାକୁ ଚାହିଁଥିଲେ । କିନ୍ତୁ ଉକ୍ତ ବିଦେଶୀ ବ୍ୟକ୍ତି ଜଣକ ଏ ଘଟଣା ସର୍ମ୍ପକରେ ଡିସିପି ଅଫିସରେ ଜଣାଇଥିଲେ । କିନ୍ତୁ ପେମେଣ୍ଟ କରି ଦେଇଥିବାରୁ କିଛି କରାଯାଇପାରିବ ନାହିଁ ଡିସିପି ଅଫିସରୁ ତାଙ୍କୁ ସିଧା ସିଧା ଶୁଣାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ସବୁଆଡୁ ନିରାଶ ହେବା ପରେ ଉକ୍ତ ବ୍ୟକ୍ତି ଜଣକ ସ୍ୱିଡେନକୁ ଫେରି ଯାଇଛନ୍ତି ।

ଏସବୁ ଭିତରେ ଆଗକୁ ଭୁବନେଶ୍ୱରରେ ହକି ବିଶ୍ୱକପ ହେବ । ରାଜଧାନୀକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସିବେ । ଏପରିକି ଅଧିକାଂଶ ବିଦେଶୀ ପର୍ଯ୍ୟଟକ ହୋଟେଲରେ ରହିବେ । କିନ୍ତୁ ଯେଉଁଭଳି ଭାବେ ଲାଭଖୋର ମନୋବୃତ୍ତି ରଖି କିଛି ହୋଟେଲ କର୍ମଚାରୀ ବିଦେଶୀ ପର୍ଯ୍ୟଟକଙ୍କ ନିକଟରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି ତାହା ବିଶ୍ୱସ୍ତରରେ ଓଡିଶାର ଭାବମୂର୍ତ୍ତିକୁ ନିନ୍ଦିତ କରୁଛି ।